ଦାଦନଗଡରେ ପ୍ରବାସୀ ଶ୍ରମିକର କରୁଣ କାହାଣୀ : ଦେଢ଼ବର୍ଷ ପରେ ଘରକୁ ପହଞ୍ଚିଲା ନିଖୋଜ ଯୁବତୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କେନ୍ଦ୍ର ଓ ରାଜ୍ୟ ସରକାର ଦିନକୁ ଦିନ ବିଭିନ୍ନ ଯୋଜନା ଆଣୁଛନ୍ତି ଗରିବ ଖଟିଖିଆ ପରିବାରମାନଙ୍କ ପାଇଁ । ମଣିଷର ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ କିଛି ନା କିଛି ଯୋଜନା ରହିଛି । ତଥାପି କାହିଁକି କେଜାଣି ବଲାଙ୍ଗିର ଜିଲ୍ଲାର ଦାଦନ ଗଡ ବଙ୍ଗୋମୁଣ୍ଡା ବ୍ଲକ ସବୁବେଳେ କିଛି ନା କିଛି ଘଟଣା ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାଏ । ଏଠି ଛୁଆଁ ବିକ୍ରିଠାରୁ ଆରମ୍ଭ କରି ଅନାହାର ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି । ଏଠି ଭାରତର ବହୁ ପ୍ରଧାନମନ୍ତ୍ରୀ ମାନେ ମଧ୍ୟ ଆସି ସ୍ଥିତି ପରଖିଛନ୍ତି । ଦାଦନ ଗଡରୁ ସୁସ୍ଥ ସବଳ ପ୍ରବାସୀ ଶ୍ରମିକ ଭାବରେ ଇଟା ଗଢିବାକୁ ଯାଇ ଦିର୍ଘ ଦେଢବର୍ଷ ପରେ ମାନସିକ ସ୍ଥିତି ଠିକ୍ ନ ଥିବା ଅବସ୍ଥାରେ ଘରକୁ ଫେରିଥିବା ଭଲି ପୁଣି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ସୁଦୁର ମହାରାଷ୍ଟ୍ର ଯାଇ ପ୍ରାୟ ଦେଢବର୍ଷ ଧରି ନିଖୋଜ ହେବାପରେ ନିଜ ବାପା ପାଖକୁ ପହଞ୍ଚିଛି ଝିଅ । ଖବରଟି ଗୋଟିଏ ପଟେ ଖୁସି ଲାଗୁଥିବା ବେଳେ ଗୋଟିଏ ପଟେ ଦୁଃଖର କରାଳ ରୂପ ବ୍ୟାଖ୍ୟା କରୁଛି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟରେ ଥିବା ଗୋହିରାପଦର ଗାଁର ଗୋରୁଚନ ଭତ୍ରାଙ୍କ କଥା । ପରିବାର କହିଲେ ବାପ ଓ ଝିଅ କେବଳ ଦୁଇଜଣ । ଗୋରୁଚନ ଅକ୍ଟୋବର ୨୦୨୩ ରେ ତାଙ୍କ ୨୪ ବର୍ଷର ଝିଅ ଯମୁନାକୁ ଧରି ଗାଁ ର ଅନ୍ୟ ଶ୍ରମିକମାନଙ୍କ ସହିତ ମହାରାଷ୍ଟ୍ରର ଚନ୍ଦ୍ରପୁରକୁ ଇଟା ଗଢିବାକୁ ଯାଇଥିଲେ । ତେବେ ସେହି ଇଟାଭାଟିରେ ନିଜ ଗାଁ ଗୋହିରାପଦର ଗ୍ରାମର ନିଜ ସମ୍ପର୍କୀୟ ଭାଇ ଲୋଚନ ଭତ୍ରା କାମ କରୁଥିଲା । ବଙ୍ଗୋମୁଣ୍ଡା ପୋଲିସକୁ ଗୋରୁଚନ ଦେଇଥିବା ଅଭିଯୋଗ ଅନୁଯାଇ କିଛି ଦିନ ପରେ ଲୋଚନ ନିଜ ଗାଁକୁ ଫେରିବ ବୋଲି ଜାଣି ଝିଅ ଯମୁନାକୁ ମଧ୍ୟ ସାଙ୍ଗରେ ନେଇ ଘରେ ଛାଡ଼ିଦେବା ପାଇଁ ଗୋରୁଚନ କହିଥିଲେ । କିଛି ଦିନ ପରେ ଗୋରୁଚନ କାମ କରିବାକୁ ଯାଇଥିବା ସମୟରେ ଲୋଚନ ଓ କିଛି ଅନ୍ୟ ଶ୍ରମିକ ସାଥୀ ଝିଅ ଯମୁନାକୁ ଗାଁକୁ ଯିବା ବୋଲି ସାଙ୍ଗରେ ଆଣିଥିଲେ । ଏପଟେ ବାପା ଗୋରୁଚନ କାମ ସାରି ଘରକୁ ଫେରି ଝିଅକୁ ନ ପାଇ ଇଟାଭାଟି ମାଲିକଙ୍କୁ ଛୁଟି ମାଗିଥିଲେ । ତେବେ ମାଲିକ ୮ ଦିନ ପରେ ଛୁଟିଦେବାରୁ ସେ ନିଜ ଗାଁ ଗୋହିରାପଦର ପହଞ୍ଚି ଘରେ ପହଞ୍ଚି ସେଠାରେ ମଧ୍ୟ ଝିଅକୁ ନ ପାଇ ଆଖପାଖ ପଡୋଶୀଙ୍କୁ ପଚରାଉଚରା କରି ଲୋଚନ ଙ୍କ ଘରକୁ ପଚାରିବାକୁ ଯାଇଥିଲେ । ତେବେ ଲୋଚନ ଝିଅ ଯମୁନା ତାଙ୍କ ସାଙ୍ଗରେ ହିଁ ଟ୍ରେନରେ ଆସୁଥିବା ବେଳେ ବାଟରେ କୋଉଠି ଓହ୍ଲାଇ ପଡିଥିବା କହିଥିଲେ । ତେଣୁ ଅନ୍ୟ ଉପାୟ ନ ପାଇ କଣ୍ଟାବାଞ୍ଜି ଗରିବସେନାର ସହାୟତାରେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଜଣାଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ପ୍ରାୟ ଦେଢ ବର୍ଷ ପରେ ଝିଅଟିକୁ ମହାରାଷ୍ଟ୍ରର ଏକ ଅନୁଷ୍ଠାନର ଆଶ୍ରୟସ୍ଥଳରେ ପାଇଥିଲେ । ଏହି ଆଶ୍ରୟସ୍ଥଳକୁ ଆସିବା ପୂର୍ବରୁ ଯମୁନା ଖଣ୍ଡିଆ ଖାବରା ହୋଇ ଟ୍ରେନ ଷ୍ଟେସନ ନିକଟରେ ଇତସ୍ତତଃ ଘୁରି ବୁଲୁଥିବା ନିକଟସ୍ଥ ପୋଲିସ ଖବର ପାଇ ଆଶ୍ରୟସ୍ଥଳରେ ନେଇ ଜିମା ଦେଇଥିଲା । ହେଲେ ଯମୁନାର ମାନସିକ ସ୍ଥିତି ଠିକ୍ ନ ଥିବାରୁ ସେ ଘର ଠିକଣା ମଧ୍ୟଦେଇ ପାରିନଥିଲା । ପରେ କିଛି ମାସ ଯିବାପରେ ତା’ର ବିବାହ କରାଯାଇଥିଲା । ହେଲେ ତା ସ୍ବାମୀ ପାଖରୁ ମଧ୍ୟ ଏପଟ ସେପଟ ପଲାଇ ବସିବାରୁ ପୁଣି ସେହି ଅନୁଷ୍ଠାନକୁ ଆଣି ତା ସ୍ୱାମୀ ଛାଡିଦେଇ ଥିଲା । ପରେ ପୁଣି ଅନୁଷ୍ଠାନର କର୍ମକର୍ତ୍ତା ପଚାରିବାରୁ ସେ ତା ପୁରା ଠିକଣା କହିନପାରି କେବଳ କଣ୍ଟାବାଞ୍ଜି କହିଥିଲା । ତେବେ ସେଠାରୁ କଣ୍ଟାବାଞ୍ଜି ଅଞ୍ଚଳର ପୋଲିସ ସହ ଯୋଗାଯୋଗ କରି ବଙ୍ଗୋମୁଣ୍ଡା ଥାନାକୁ ଯମୁନାର ଫଟୋ ପଠାଇଥିଲେ । ବଙ୍ଗୋମୁଣ୍ଡା ପୋଲିସ ଯମୁନା ର ବାପାକୁ ଫଟୋ ଦେଖାଇ ସେ ଚିହ୍ନିବା ପରେ ଆଇନ ଅନୁଯାଇ ଆଦେଶ ଆଣି ଏକ ସାମାଜିକ ଟିମ୍ ଗଠନ କରି ମହାରାଷ୍ଟ୍ର ପଠାଇ ଯମୁନାକୁ ଗାଁ କୁ ଫେରାଇ ଆଣିଥିଲେ । ଏ ମଧ୍ୟରେ ପ୍ରାୟ ଦେଢବର୍ଷ ବିତି ଯାଇଛି । ଯମୁନା ଟ୍ରେନରୁ ନିଜେ ଓହ୍ଲାଇ ଥିଲେ ନା ତାଙ୍କ ସହ ଆଉକିଛି ଘଟଣା ଘଟିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ହେଲେ ଯମୁନା ଯାହାକୁ ଦେଖିଲେ ବି ଡରି ଯାଉଥିବା ସହ ମାନସିକ ସ୍ଥିତି ଠିକ୍ ନ ଥିବାରୁ ପୋଲିସ ବୟାନ ରେକର୍ଡ ମଧ୍ୟ କରିପାରିନଥିବା ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜିବ ପ୍ରଧାନଙ୍କ ଠାରୁ ଜଣାପଡିଛି । ଏପଟେ ବିଳମ୍ବରେ ହେଲେ ମଧ୍ୟ ବଙ୍ଗୋମୁଣ୍ଡା ପୋଲିସ ଝିଅକୁ ଫେରାଇ ଆଣିଥିବାରୁ ଗରିବସେନା ସଭାପତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.