jayashree

ଲାଠୋର ପୋଲିସ ଦ୍ୱାରା ୬ ଶିଶୁ ସହ ୨୪ ଦାଦନ ଶ୍ରମିକ ଉଦ୍ଧାର : ଫାର୍ମ ହାଉସ୍‌ରେ ଲୁଚେଇ ରଖିଥିଲା ଦାଦନ ସର୍ଦ୍ଦାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମରେ ଥିବା ଗୋଟିଏ ଫାର୍ମ ହାଉସ୍‌ରୁ ରବିବାର ରାତି ୧୦ଟାରେ ଲାଠୋର ପୋଲିସ ୬ ଜଣ ଶିଶୁଙ୍କ ସମେତ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଲାଠୋର ପୋଲିସ ରାତି ୧୦ଟାରେ ପେଟ୍ରୋଲିଂ ଚାଲିଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ପିପଲବାହାଲ ସ୍ଥିତ ମୁଜିବଖାନଙ୍କ ଫାର୍ମ ହାଉସରେ କିଛି ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ରଖାଯାଇଛି । ଖବର ପାଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଫର୍ମ ହାଉସକୁ ପହଞ୍ଚି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ପଚରା ଉଚୁରା କଲା ବେଳେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କୁ ତେଲେଙ୍ଗାନା ରାଜ୍ୟର ପେଟାପଲ୍ଲୀକୁ ବେଆଇନ ଭାବେ ମୁଜିବ ଖାନ ଚାଲାଣ କରୁଥିବା ଜଣାପଡିଥିଲା । ଏହାପରେ ସମସ୍ତ ଶ୍ରମିକଙ୍କୁ ଲାଠୋର ଥାନାକୁ ଆଣିଥିଲେ । ପଚରା ଉଚୁରା ବେଳେ ଶ୍ରମିକମାନେ ଅନୁଗୁଳ ଜିଲ୍ଲା ରାଇଝଡାଙ୍ଗ ଗ୍ରାମର ଏବଂ ନୂଆପଡା ଜିଲ୍ଲା ଉଡାର ଗାଁର ବୋଲି କହିଥିଲେ । ମୋଟ୍‌ ୯ ଜଣ ପୁରୁଷ, ୯ ଜଣ ମହିଳା ଓ ୬ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣାପଡିଛି । ଦାଦନ ଚାଲାଣ ଅଭିଯୋଗରେ ଲାଠୋର ଥାନା ସଦର ଲାଠୋରର ଅସଫାକ ଖାନ(୨୧)ଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଦାଦନ ସର୍ଦ୍ଦାର ମୁଜିବ ଖାନ ଫେରାର ଥିବା ଜଣାପଡିଛି । ଏନେଇ ଲାଠୋର ଥାନା କେସ ନମ୍ବର ୧୪୩/୨୩ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/ ୪୨୦/୩୪ଆଇପିସି / ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଲାଠୋର ଆଇଆଇସି ଝସକେତନ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.