ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ଥାନା ଘେରାଉ : ଆଦିବାସୀ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ୨ ଦଫା ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ଶୁକ୍ରବାର ମୁରିବାହାଲ ପୋଲିସ ଥାନାର ଆଦିବାସୀ ବିରୋଧି କାର୍ଯ୍ୟକଳାପ ସମ୍ପର୍କରେ ଥାନା ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏନେଇ ସଂଘ ପକ୍ଷରୁ ୨ ଦଫା ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ପୂର୍ବାହ୍ନରେ ସ୍ଥାନୀୟ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖ ପର୍ଯ୍ୟନ୍ତ ପହଞ୍ଚିଥିଲେ । ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜୀବ କୁଅଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ସଂଗଠକ ଥବୀର ପୁଝାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଦିବାସୀ ବିରୋଧୀ ମନୋଭାବ ପାଇଁ ମୁରିବାହାଲ ଥାନା ପୋଲିସକୁ ତୀବ୍ର ସମାଲୋଚନା କରିଥିଲେ । ସେ ବିଭିନ୍ନ ଅଣଆଦିବାସୀମାନଙ୍କ ପକ୍ଷରୁ ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ମାମଲାକୁ ପୋଲିସ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଏଭଳି ମାମଲାକୁ ତଦନ୍ତକାରୀ ଅଧିକାରୀମାନେ ଠିକ୍ ଭାବେ ତଦନ୍ତ କରୁନଥିବା ସେ ଗୁରୁତର ଅଭିଯୋଗ କରିଥିଲେ । ଏହି ପ୍ରତିବାଦ ସଭାରେ ଲେବଡ଼ା, ସରଧାପୁର ଗ୍ରାମର ସମ୍ବାରୀ ଭୋଇ ଓ ହଳଦୀ, ଡଙ୍ଗରପଡ଼ା ଗ୍ରାମର ପଙ୍କଜିନୀ କୁମୁରା ନାମକ ଦୁଇଜଣ ପୀଡ଼ିତା ମହିଳା ନିଜ ମାମଲା ସମ୍ପର୍କରେ ନିଜର ଅନୁଭୂତି କହିଥିଲେ । ଏହି ପ୍ରତିବାଦ ସଭାରେ ବ୍ଲକ ଶାଖା ସମ୍ପାଦକ ଭୁବନ ମାଝୀ, ଲୁହା ପ୍ରଗଣା ସଭାପତି ଚୈତନ୍ୟ ମାଝୀ, ନାରୀ ସଭାନେତ୍ରୀ ପତରଙ୍ଗି ମାଝୀ, ଉପସଭାନେତ୍ରୀ ତେଜରୀ ମାଝୀ, ବୁଟୁ ମାଝୀ, ଲିଙ୍ଗ ମାଝୀ, ଲୁଦ୍ର ମାଝୀ, ଡମ୍ବରୁ ମାଝୀ, ଭୂମିସୂତା ସମରଥ, ମୀରା ଭୋଇ, ସଙ୍ଗତ ଭୋଇ, ଅଗସ୍ତି ଶିକା, ଦିଲ୍ଲୀପ ମାଝୀ, ହେମନ୍ତ ମାଝୀ, କେଶରୀ ମାଝୀ, ଲୋଚନ ଜାନୀ, ଅଶୋକ ଜାନୀ, ପଦ୍ମା ମାଝୀ, ଉକିଆଁ ମାଝୀ, ସୁମନି ପଟା, ଲଳିତା ପାତ୍ର ଓ ଫୁଲମତି ପାତ୍ରଙ୍କ ସହ ବହୁ ଆଦିବାସୀ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଆଦିବାସୀ ବିରୋଧୀ ମନୋଭାବକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ମୁଁ ପ୍ରତ୍ୟେକଟି ଆଦିବାସୀ ନିର୍ଯ୍ୟାତନା ମାମଲାକୁ ନିଜେ ପ୍ରତ୍ୟେକ୍ଷ ଭାବେ ତଦାରଖ କରିଥାଏ ବୋଲି ପ୍ରକାଶ କରିଛନ୍ତି । ଆଦିବାସୀ ସଂଘର ଅଭିଯୋଗ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ସହ ସମସ୍ତ ଥାନା କର୍ମଚାରୀ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.