ଖଡ଼ିଆଳ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରରେ ଥିବା କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଏବଂ ସରକାରୀ ସହାୟତା ପ୍ରଦାନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ରାଜ୍ୟରେ ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇ ରାଜ୍ୟବାସୀଙ୍କଠାରୁ ସାବାସୀ ପାଉଥିବା ବେଳେ ଏହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବହୁ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦେଇ ସେମାନଙ୍କୁ ମାସିକ ମାତ୍ର ୬୫୧୨ ଟଙ୍କା ଦରମାରେ କାର୍ଯ୍ୟ କରାଉଅଛନ୍ତି । ଏହି ସ୍ୱଳ୍ପ ଦରମାରେ ବର୍ତ୍ତମାନର ମହଙ୍ଗା ଯୁଗରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଜୀବନଧାରଣ କରିବା ଓ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି । ତା’ଛଡ଼ା ଏହି ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ଦାୟିତ୍ୱ ନିଜ କାନ୍ଧଉପରେ ବହନ କରିଥିଲା ବେଳେ ସେମାନଙ୍କୁ ଏ ପ୍ରକାର ଦରମାରେ ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯାହା କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରୁଛି ଏବଂ ଏହାର ପ୍ରଭାବ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ପଡ଼ୁଛି । ଦାବୀ ହାସଲ ପାଇଁ ବାରମ୍ବାର ଆନ୍ଦୋଳନ ଏବଂ ସରକାରୀ ସ୍ତରରେ ଆଲୋଚନା କରାଯାଉଥିଲେ ମଧ୍ୟ ସରକାର ଏ କଥାକୁ ଟାଳି ଚାଲିଛନ୍ତି । କେନ୍ଦ୍ର ସରକାର ସମଗ୍ର ଶିକ୍ଷା ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ସ୍ତରର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ଦରମା ୧୫ ହଜାର ଟଙ୍କା ଓ ଉଚ୍ଚପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ୨୦ ହଜାର ଟଙ୍କା ହିସାବରେ ବଜେଟ୍ ସ୍ଥିର କରି ଅନୁଦାନ ରାଶି ରାଜ୍ୟକୁ ପ୍ରଦାନ କରୁଥିଲା ବେଳେ ଓଡ଼ିଶା ସରକାର କନିଷ୍ଠ ଶିକ୍ଷକମାନଙ୍କୁ ଏହି ଆଧାରରେ ଦରମା ନ ଦେଇ ମାସିକ ମାତ୍ର ୬ହଜାର ୫୧୨ଟଙ୍କା ପ୍ରଦାନ କରୁଛନ୍ତି, ଯାହାକି ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି । ତୁରନ୍ତ ସରକାର ଏ ଦିଗକୁ ବିଚାରକୁ ନେଇ କନିଷ୍ଠ ଶିକ୍ଷକ ୧୬ହଜାର ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଦରମା ୨୦୧୩ ଆଇନ ମୁତାବକ ୨୦୨୧ରେ ହୋଇଥିବା କେବିନେଟ ନିଷ୍ପତି ଲାଗୁ କରବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.