oum

ମିର୍ଦ୍ଧାପଡ଼ା ଓ ବାରିକପାଲି ଗାଁକୁ ରାଜସ୍ୱ ମାନ୍ୟତା ଦାବୀ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗ୍ରାମାଞ୍ଚଳ ଉନ୍ନତି ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ଏଭଳି ଗାଁ ରହିଛି, ଯେଉଁ ଗାକୁ ରାଜସ୍ୱ ମାନ୍ୟତା ମିଳିପାରି ନାହିଁ । ଏନେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତ ମିର୍ଦ୍ଧାପଡ଼ା ଓ ବାରିକପାଲି ଗ୍ରାମବାସୀ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ମିର୍ଦ୍ଧାପଡ଼ା ଗ୍ରାମ ବର୍ତ୍ତମାନ ରାଜସ୍ୱ ଗ୍ରାମ ନୂଆମୁଣ୍ଡା ଅଧୀନରେ ରହିଛି । କିନ୍ତୁ ଏହି ଗ୍ରାମକୁ ରାଜସ୍ୱ ମାନ୍ୟତା ମିଳିପାରି ନାହିଁ । ଯାହା ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗାଁରେ ୭୦ରୁ ଅଧିକ ପରିବାର ୧୦୦ ରୁ ଅଧିକ ବର୍ଷ ହେବ ବସବାସ କରିଆସୁଛନ୍ତି । କିନ୍ତୁ ଏହି ଗାଁକୁ ରାଜସ୍ୱ ମାନ୍ୟତା ମିଳିନ ଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ପାଇ ପାରୁନ ଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି ବାରିକପାଲି ଗାଁ ଲୋକେ ୧୫୦ ବର୍ଷରୁ ଅଧିକ ହେବ ବସବାସ କରିଆସୁଛନ୍ତି, ହେଲେ ଏହି ଗାଁକୁ ଆଜି ବି ରାଜସ୍ୱ ମାନ୍ୟତା ଘୋଷଣା କରାଯାଇ ନାହିଁ । ଯାହା ଫଳରେ ଆଜି ବାଧ୍ୟ ହୋଇ ଲୋକ ଉନ୍ନତି ସଂଗଠନର ବ୍ଲକ ସଂଯୋଜିକା ଗୀତାଞ୍ଜଳି କୁମ୍ଭାର ଓ ଜନସାଥୀ ବଂଶୀଧର ସୁନାନୀଙ୍କ ନେତୃତ୍ୱରେ ବାରିକପାଲି ଗାଁ ଲୋକଙ୍କୁ ନେଇ ଏକ ବୈଠକ ହେବା ପରେ ଆଜି ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତହସିଲଦାର ଶ୍ରୀଯୁକ୍ତ ଧରୁଆ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ବାରିକପାଲି ଗାଁର ଶତାଧିକ ଲୋକେ ଓ ମିର୍ଦ୍ଧାପଡ଼ାର ରାମ ପଧାନ, ଅଜିତ ପଧାନ, ଚିତ୍ତ ରଞ୍ଜନ ଛତ୍ରିଆ, ଦ୍ରୋଣ ମିର୍ଦ୍ଧା, ରମେଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.