ସାର କଳାବଜାରୀକୁ ବିରୋଧ କରି ବିଜେପି ପାଇକମାଲ କୃଷି କାର୍ଯ୍ୟାଳୟରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଖରିଫ ଋତୁରେ ଯଦିଓ ବର୍ଷାର ଅଭାବ ଚାଷୀଙ୍କୁ ନିରାଶ କରିଛି । ତଥାପି ଚାଷୀ ଆଶା ନ ହରାଇ ରୁଆ – ବିହୁଡାରେ ବ୍ୟସ୍ତ ରହିଛି । ଯେଉଁ ବି କିଛି ବିକଳ୍ପ ବ୍ୟବସ୍ଥା ରହିଛି ତାକୁ ବ୍ୟବହାର କରି ଚାଷକୁ ବଞ୍ଚାଇ ରଖିବାକୁ ଚେଷ୍ଟ କରୁଛି । ହେଲେ ଚାଷୀ ପାଇଁ ଦଇବ ଦାଉରୁ, ଅସାଧୁ କର୍ମଚାରୀ ଓ କଳା ବେପାରୀଙ୍କ ଦାଉ ବଳି ପଡୁଛି । ବଜାରରେ ସରକାରୀ ଧାର୍ଯ୍ୟ ଦର ଠୁଁ ଦୁଇଗୁଣା ମୂଲ୍ୟରେ ୟୁରିଆ ସାର କିଣିବାକୁ ପଡୁଛି ତାହା ପୁଣି ସମୁଦ୍ରକୁ ଶଙ୍ଖେ, ବଜାରରେ ସାର କଳାବଜାରୀ, ସାରର ଅଭାବି ବିକ୍ରି ଏବଂ ସରକାରୀ ଧାର୍ଯ୍ୟ ଦରରେ ସାର ନ ମିଳିବା ପ୍ରତିବାଦରେ ବିଜେପି ପକ୍ଷରୁ ଗତକାଲି ପାଇକମାଲ ବ୍ଲକ, କୃଷି କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ସହ, ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର କୃଷି ସମ୍ପ୍ରସାରଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ମାଣ୍ଡୋସିଲ ମଣ୍ତଳ ସଭାପତି ସଞୟ ବେହେରାଙ୍କ ନେତୃତ୍ୱରେ ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ସ୍ଥାନୀୟ ତହସିଲ ଛକରୁ ଶୋଭାଯାତ୍ରାରେ ବାହାରି କୃଷି କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ସଭା ମଧ୍ୟ କରିଥିଲେ । ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଞ୍ଚଳରେ ଚାଳିଥିବା ବ୍ୟାପକ ସାର କଳାବଜାରୀକୁ ରୋକି ଚାଷୀଙ୍କୁ କରା ଯାଉଥିବା ଶୋଷଣକୁ ବନ୍ଦ କରିବା ସହ ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ନିଧି ହିତାଧିକାରୀ ଚୟନ କ୍ଷେତ୍ରରେ କୌଣସି ରାଜନୈତିକ ଦଳ ଦ୍ୱାରା ପରିଚାଳିତ ନ ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରିପୋର୍ଟ ସରକାରଙ୍କୁ ଦେବାକୁ ଆହ୍ଵାନ କରିଥିଲେ । ଜିଲ୍ଲା ଉପ ସଭାପତି ସରୋଜ ସାମଲ ସଭା ପରିଚାଳନା କରିବା ସହ ଦାବୀପତ୍ର ଉପସ୍ଥାପନା କରିଥିବା ବେଳେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ, ଜିଲ୍ଲା ମହିଲା ମୋର୍ଚ୍ଚା ଉପ ସଭାପତି ରମିଲା ଲୁହାର, ସୁବାଷିନୀ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଯୋଗେନ୍ଦ୍ର ଭୋଇ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ପୁରୁଷୋତ୍ତମ ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ରୋଶନ ପାଣିଗ୍ରାହୀ, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ପୁରନ୍ଦର ସାହୁ, ବିରଞ୍ଚି ବେହେରା, ରୂପଧର ପାଣ୍ତେ, ନରୋତ୍ତମ ଦାଶ, ସୁଶାନ୍ତ ନାଗ, ପଦ୍ମ ଲୋଚନ ବେରିଆ, ସୌମିତ୍ରୀ ପ୍ରଧାନ, ଦୁଃଶାସନ କୁମ୍ଭାର, ଇନ୍ଦ୍ରଜିତ ଭୋଇ, ଅକ୍ଷୟ ସାହୁ, ମଧୁସୂଦନ ସାହୁ, ଝସକେତନ ବଢେଇ, ମନୋଜ କୁମ୍ଭାର, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲିର ବିକ୍ଷୋଭ ଏକ ପ୍ରତିକାତ୍ମକ ବିରୋଧ, ପ୍ରଶାସନ ତୁରନ୍ତ ପ୍ରଦତ୍ତ ଦାବୀ ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ପ୍ରଶାସନକୁ ଚେତାଇ ଦିଆଯାଇଥିଲା । କୃଷି ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଝୁମି ମେହେର ସହ କୃଷି ଏଓ ଶ୍ରୀ ଯୋଗେଶ୍ୱର ପଟେଲ ବିକ୍ଷୋଭକାରୀଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ଉପରିସ୍ଥ ଅଧିକାରୀଙ୍କ ସହ ପରାମର୍ଶ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.