ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଆରୋଗ୍ୟ ମନ୍ଦିର ଠାରୁ ତାଳଭଟା ପ୍ରହରୀ ମଣ୍ଡପ- ସାପ୍ତାହିକ ବଜାର-ମାଲପଡା ଭାୟା ବରତୁଣ୍ଡା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବଲାଙ୍ଗିର ଏଡିଏମ୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ପଂଚାୟତ ପ୍ରଶାସନଙ୍କୁ ହାରି ଗୁହାରି କରିଥିଲେ ମଧ୍ୟ କେହି ପଦକ୍ଷେପ ନେଇ ନଥିବା ଜଣାପଡିଛି । ଏହି ରାସ୍ତାରେ ଦୈନନ୍ଦିନ ଲୋକେ ଯିବା ଆସିବା ପାଇଁ କରୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶ ସ୍ଵାଧୀନତା ହେବାର ଅନେକ ବର୍ଷ ପରେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷା ମାସରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏଡିଏମ୍ ପବିତ୍ର ବେହେରା ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏହି କଚ୍ଚାରାସ୍ତାକୁ ପକ୍କା ରାସ୍ତା କରାଯାଉଛି ତାହା ଦେଖିବାକୁ ବାକି ରହିଲା । ଏଡିଏମ୍ ପବିତ୍ର ବେହେରାଙ୍କୁ ଦାବିପତ୍ର ଦେବା ସମୟରେ ମା’ ସାହାଜି ଯୁବକ ସଂଘ କପିଲାଭଟାର ସମ୍ପାଦକ ହୁଲେଶ୍ୱର ହଂସ, ସମାଜସେବୀ ଧବଳେଶ୍ୱର ବେହେରା, ଲମ୍ବୋଦର ବେହେରା, ସନ୍ତୋଷ ହଂସଙ୍କ ସହ କପିଲାଭଟା, ତାଳଭଟା, ମାଲପଡା ଓ ବରତୁଣ୍ଡା ଗ୍ରାମବାସୀଙ୍କ ସହ ଅଞ୍ଚଳବାସୀମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ପକ୍କା ରାସ୍ତା ନ ହେଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି ।