କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁ ଦେଖାଦେଲାଣି ବ୍ୟବସାୟିକ ଓ ଘରୋଇ ଏଲପିଜି ଗ୍ୟାସ ସଂକଟ । ରେଷ୍ଟୁରାଣ୍ଟ, ଖାଦ୍ୟ ବିକ୍ରେତା ଏଥିରେ ସର୍ବାଧିକ ପ୍ରଭାବିତ ହେଉଥିବା ଭଳି ଅଭିଯୋଗ ହୋଇଛି । ଆଗକୁ ରନ୍ଧନ ଗ୍ୟାସ ମିଳିବ କି ନାହିଁ ଆଶଙ୍କା କରି ଲୋକେ କଳାବଜାରରେ ଗ୍ୟାସ କିଣୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରନ୍ଧନ ଗ୍ୟାସ ସିଲିଣ୍ଡର ଅଭାବ ଉତ୍କଟ ସ୍ଥିତିରେ ପହଞ୍ଚିଛି । ଭବାନୀପାଟଣାର ଅନେକ ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ ଗ୍ୟାସ ଅଭାବରୁ ବନ୍ଦ ହେବା ଆରମ୍ଭ ହେଲାଣି ତ ଆଉ କିଛି ଗ୍ୟାସ ପାଇଁ ସଂଘର୍ଷ କରୁଛନ୍ତି । ଏନେଇ ସ୍ଥାନୀୟ ଭାଗୀରଥି ଇନ୍ ଠାରେ ବଣିକ ସଂଘ ପକ୍ଷରୁ ଭବାନୀପାଟଣାର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, କେଫେ, ଫାଷ୍ଟଫୁଡ ତଥା ଫୁଡ୍ ଷ୍ଟଲ୍ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କମର୍ସିଆଲ ଗ୍ୟାସ ଯୋଗାଣକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏନେଇ ଆଜି ସକାଳେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ରେଷ୍ଟୁରାଣ୍ଟ, ହୋଟେଲ, ଫାଷ୍ଟଫୁଡ, ଟିଫିନ ସେଣ୍ଟର ଆଦି ଖାଦ୍ୟ ଷ୍ଟଲକୁ ବ୍ୟବସାୟିକ ଏଲପିଜି ଗ୍ୟାସ ଯୋଗାଣ କରିବା, କୋଇଲା ଓ କାଠରେ ରନ୍ଧନ ପାଇଁ ଅନୁମତି, ଗ୍ୟାସ ଏଜେନ୍ସୀର କଳାବଜାରୀ ରୋକିବା, କୋଇଲା ଭାରକୁ ଫରେଷ୍ଟ ବିଭାଗ ପକ୍ଷରୁ କୋହଳ କରିବା ଏବଂ ଗ୍ୟାସ ସଂକଟ ଦୂର ନହେବା ପର୍ଯ୍ୟନ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ନୀରିକ୍ଷଣ ନାମରେ ହଇରାଣ ନକରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ପ୍ରତିନିଧି ଦଳରେ କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ ସାହୁ, ସାଧାରଣ ସମ୍ପାଦକ ନିରୋଜ ପଟ୍ଟନାୟକ, ବିଶିଷ୍ଟ ବ୍ୟବସାୟୀ ପ୍ରମୋଦ ଖମାରୀ, ସହ ସମ୍ପାଦକ ସଚ୍ଚିଦାନନ୍ଦ ସାହୁ , ପ୍ରମୋଦ ଜୈନ, ଯୁବ ଉଦ୍ୟୋଗୀ ଅବିନାଶ ଠାକୁର, ମହମ୍ମଦ କରୀମ, ଅବିନାଶ ଅଗ୍ରୱାଲ, ରାଜ ମିଶ୍ର, ସାଇ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ ।