ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଏଫ୍ସିଆଇକୁ ୨୦୨୪-୨୫ ବର୍ଷ ପାଇଁ ଖରିଫ ମାର୍କେଟିଂ ଋତୁ ଚାଉଳ ଯୋଗାଣ ପ୍ରକ୍ରିୟା ୬ ଫେବୃୟାରୀରୁ ସମ୍ପୂର୍ଣ୍ଣ ବନ୍ଦ ଥିବା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ରାଇସ ମିଲର୍ସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନ୍ ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪-୨୫ ରବି ମାସରେ କରଯାଇଥିବା ଧାନ ସଂଗ୍ରହର ୬୭ ପ୍ରତିଶତ ଚାଉଳ ଯୋଗାଣ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ପ୍ରତିଶତ ଚାଉଳ ତାଙ୍କ ପାଖରେ ବକେୟା ରହିଛି । ପୂର୍ବ କାର୍ଯ୍ୟଦକ୍ଷତାକୁ ଦେଖିଲେ ୨୦୨୪-୨୫ ବର୍ଷର ଶତ ପ୍ରତିଶତ ଚାଉଳ ଯୋଗାଣ ପାଇଁ ଆହୁରି ୩ ମାସ ସମୟ ଲାଗିବ । ସେପଟେ ଭାରତ ସରକାର ୨୦୨୬ ଏପ୍ରିଲ ସୁଦ୍ଧା ୨୦୨୪-୨୫ ର ସିଏମ୍ଆର୍ ଯୋଗାଣ ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାର ଏଫ୍ସିଆଇକୁ ଚାଉଳ ଯୋଗାଣ ୬ ଫେବୃୟାରୀରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିବା ବେଳେ ପଡ଼ୋଶୀ ଜିଲ୍ଲା ବରଗଡ଼ ଏବଂ ସମ୍ବଲପୁରରେ ଏଫସିଆଇ ଚାଉଳ ଯୋଗାଣ ନିୟମିତ ଭାବରେ ଜାରି ରହିଛି । ଏହି ସମ୍ପର୍କରେ ଫେବୃଆରୀ ୧୬ ତାରିଖରେ ସୁବର୍ଣ୍ଣପୁରର ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀଙ୍କୁ ମିଲର୍ସ ପ୍ରତିନିଧିତ୍ୱ ଦାଖଲ କରିଥିଲେ ଏବଂ ମିଲର ସଂଘର ସଦସ୍ୟମାନେ ଓଏସ୍ସିଏସ୍ସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟିଥିବା ବେଳେ ସେ କହିଥିଲେ ଯେ, ଚାଉଳ ବିତରଣ ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ । ରାଜ୍ୟ ସ୍ତରରେ ୧୬ତମ ପ୍ରୁଡେଣ୍ଟ ପ୍ଲାନ୍ କମିଟି ବୈଠକ ଫେବୃୟାରୀ ୨୦ରେ ହୋଇଥିଲା ବେଳେ ଏଫସିଆଇ ଚାଉଳ ବିତରଣ ଲକ୍ଷ ୮ ଗୋଟି ଜିଲ୍ଲାକୁ ଦିଆଯାଇଛି କିନ୍ତୁ ସେଥିରେ ସୁବର୍ଣ୍ଣପୁର ଜିଲ୍ଲାର ନାଁ ନ ଥିବା ଦୁର୍ଭାଗ୍ୟ ଜନକ ବୋଲି ସଂଘ ମତ ରଖିଛି । ସେପଟେ ୨୦୨୫-୨୬ ବର୍ଷ ପାଇଁ ରବି ଫସଲ ମେ ମାସ ୨୦୨୬ରୁ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଆମ ପାଖରେ ଧାନ ରଖିବା ପାଇଁ ଏବେ କୌଣସି ଜାଗା ନାହିଁ ସେପଟେ ଧାନର ଗୁଣବତ୍ତା ହ୍ରାସ ପାଇବ ବୋଲି ମିଲର୍ସ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଦାବୀପତ୍ର ଜିଲ୍ଲାପାଳଙ୍କ ସହ ବିଭାଗୀୟ ଉଚ୍ଚ ଅଧିକାରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକଙ୍କୁ ପ୍ରଦାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜିଲ୍ଲାର ସମସ୍ତ ମିଲ୍ ମାଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post