ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ଚାଲିଥିବା ପ୍ରସଙ୍ଗ ନେଇ ବରଗଡ଼ ମହିଳା ସମିତି ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି । ସେଥିରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମହକୁମାର ସ୍ଥିତି ସବୁଠୁ ଅଧିକ ଚିନ୍ତାଜନକ ଏବଂ ମାଦକ ଦ୍ରବ୍ୟର ଅବାଧ କାରବାର ଯୋଗୁଁ ଯୁବ ସମାଜକୁ ନଷ୍ଟ ଭ୍ରଷ୍ଟ କରାଯାଉଛି ବୋଲି ଉଦବେଗ ପ୍ରକାଶ କରାଯାଇ ପୋଲିସର ନିଷ୍କ୍ରିୟତାକୁ ଏଥିପାଇଁ ଦାୟୀ କରାଯାଇଛି । ଏହି ସହରରେ ଏକ ମହିଳା ଥାନା ପ୍ରତିଷ୍ଠା କରାଯିବାକୁ ଏବଂ ସ୍ଥାଣୁ ପାଲଟିଥିବା ଜିଲ୍ଲା ପୋଲିସ ବିଭାଗର ସୁଧାର ପାଇଁ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ବରଗଡ଼ ଜିଲ୍ଲାରେ ଅବସ୍ଥାପିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଏହା ସାଙ୍ଗକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱାରା ପ୍ରତିଷ୍ଠିତ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଥିବା ଅବ୍ୟବସ୍ଥା ଏ ଅନୁଷ୍ଠାନକୁ ଅବିଳମ୍ବେ ଅନ୍ଧାର ମଧ୍ୟକୁ ଠେଲି ଦେବାକୁ ଯାଉଛି ବୋଲି ଦୃଷ୍ଟି ଆକର୍ଷଣ କରାଯାଇ ଏହି ଆଶ୍ରମର ସମୂର୍ଣ୍ଣ ପରିଚାଳନା ଭାର ରାଜ୍ୟ ସରକାର ନିଜ ହାତକୁ ନେବାକୁ ନିବେଦନ କରାଯାଇଛି । ସମିତିର ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ମମତା ମିଶ୍ର, ରାଧାରାଣୀ ମିଶ୍ର, ପଦ୍ମିନୀ ସାହୁ, ସଲୋନୀ ଦାଶ, ଜୟନ୍ତୀ ପ୍ରଧାନ, ପ୍ରଣତି ପ୍ରଧାନ ଏହି ପ୍ରତିନିଧି ଦଳରେ ସାମିଲ ହୋଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.