ୟୁଜର୍ସ ଫି ବୃଦ୍ଧି ପ୍ରତିବାଦରେ ପ୍ରଶାସନକୁ ଦାବୀପତ୍ର : ପିଡି ଓ ଇଓଙ୍କୁ ଭେଟିଲେ ଛତ୍ରପୁର ବ୍ୟବସାୟୀ ମହାସଂଘର ପ୍ରତିନିଧୀ ଦଳ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ସମସ୍ତ ପ୍ରକାର ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପଡିଥିଲା ଛୋଟ ବଡ ବ୍ୟବସାୟୀ ମାନଙ୍କ ଉପରେ । ଏହାର ଦୁଃଖ ବ୍ୟବସାୟୀଙ୍କ ମନରୁ ନ ଲିଭୁଣୁ ଛତ୍ରପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନିର୍ଦ୍ଧାରିତ କରାଯାଇଥିବା ୟୁଜର୍ସ ଫିକୁ ବୃଦ୍ଧି କରାଯାଇଥିବା ହେତୁ ବ୍ୟବସାୟୀଙ୍କୁ ଅଧିକ ବିଚଳିତ କରିଛି । ଏହାକୁ ବିରୋଧ କରି ଗୁରୁବାର ଛତ୍ରପୁର ବ୍ୟବସାୟୀ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଶିନ୍ଦେ ଦତ୍ତାତ୍ରୟ ଭାଉ ସାହେବଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ଏନଏସିରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନେ ୟୁଜର୍ସ ଫି ବାବଦକୁ ୩୬୦ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ତାହାକୁ ଏବେ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକୁ ନେଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇଛି । କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ କମିବା ସହ ବର୍ତ୍ତମାନ କିଛି ଦିନ ହେଲା ପରିସ୍ଥିତିରେ ସ୍ୱାଭାବିକ ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ବ୍ୟବସାୟରେ ବିଶେଷ ଉନ୍ନତି ଦେଖା ଦେଇନାହିଁ । ଫଳରେ ବର୍ଦ୍ଧିତ ଦର ସେମାନଙ୍କ ପକ୍ଷେ ପୈଠ କରିବା ସମ୍ଭବପର ହେଉନାହିଁ । କୋରନା ସମୟରେ କ୍ଷତି ବହୁତ ବାଧକ ସାଜିଛି । ଏଣୁ ୟୁଜର୍ସ ଫି ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଦାବୀ ହୋଇଛି । କରୋନାରେ ସମସ୍ତ ବ୍ୟବସାୟୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ବ୍ୟବସାୟୀ ମାନଙ୍କ ହିତ ନିମନ୍ତେ ଏହାକୁ କିଛି କମ୍ କରାଯିବା ଉଚିତ ବୋଲି ଡିଆରଡିଏ ପିଡି ବ୍ୟବସାୟୀ ମାନଙ୍କୁ କହିଥିଲେ । ଏହା ସହ ଏହି ପ୍ରତିନିଧୀ ଦଳ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଏନ.ଗଣେଶବାବୁ ମଧ୍ୟ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଏବଂ ୟୁଜର୍ସ ଫି ବୃଦ୍ଧି ନ କରିବା ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଛତ୍ରପୁରର ରାଶନ ସାମଗ୍ରୀ ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାର ଉପସଭାପତି ଜି.ଜନାର୍ଦ୍ଦନ ରାଓ, ଠାକୁରାଣୀ ରୋଡ ସ୍ଥିତ ରାବଣାଆମ୍ମା ବ୍ୟବସାୟୀ ସଂଘର ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପଙ୍କଜ ପାଣିଗ୍ରାହୀ, ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ସତ୍ୟ ନାରାୟଣ ପାତ୍ର, କେ.କଲ୍ୟାଣୀ କୁମାର, କେ.ରମେଶ ରାଓ, ଉମା ଶଙ୍କର ସାହୁଙ୍କ ସମେତ ବହୁ ଦୋକାନୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.