ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ସଂଗଠନର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସ୍ୱାତି କୁମାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜେକେପୁର, ଗୁଣୁପୁର, କଲ୍ୟାଣ ସିଙ୍ଗିପୁର, ରାମନାଗୁଡା ଏବଂ ମୁନିଗୁଡା ଭଳି ସମ୍ବେଦନଶୀଳ ଅଞ୍ଚଳରେ ପ୍ରାୟ ୧୨,୦୦୦ରୁ ଅଧିକ ଅବୈଧ ଅନୁପ୍ରବେଶକାରୀ ରହୁଛନ୍ତି । ଏମାନଙ୍କ ପାଖରେ ନାଗରିକତା ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ନାହିଁ । ଏହି ଅନୁପ୍ରବେଶକାରୀମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଜିଲ୍ଲାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଯଦି ପୋଲିସ ପ୍ରଶାସନ ତୁରନ୍ତ ଏଫ୍ଆଇଆର୍ ରୁଜୁ କରି ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବ । ଏହି ଦାବିପତ୍ର ପ୍ରଦାନ ସମୟରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ନଗର ସହ ସଂଯୋଜକ ପି. ଗାନି, ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଉପସଭାପତି ପ୍ରଫୁଲ ପାତ୍ର, ଜିଲ୍ଲା ଉପସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ରମେଶ, ସହସମ୍ପାଦକ ଗୋପୀ ବ୍ରହ୍ମା, ସତସଙ୍ଗ ପ୍ରମୁଖ ସୁଶାନ୍ତ ପ୍ରଧାନ, ବିଶେଷ ସମ୍ପର୍କ ପ୍ରମୁଖ ବିଜୟ ଚୌଧୁରୀ, ଆର୍ଏସ୍ଏସ୍ ଜିଲ୍ଲା ସମ୍ପର୍କ ପ୍ରମୁଖ ଚିତ୍ତରଞ୍ଜନ ପ୍ରଧାନ ଏବଂ ନଗର କାର୍ଯ୍ୟକର୍ତ୍ତା ମିଥୁନ ଦାସ, ବୁଲୁ ଦଳପତି ଉପସ୍ଥିତ ଥିଲେ ।