
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ସର୍ବ ସାଧାରଣ ସ୍ଥଳରେ ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ବିରୁଦ୍ଧ ରେ ଗାଁର ସଚେତନ ନାଗରିକ ଓ ଯୁବକ ଜିଲ୍ଲପାଳ ବଲାଙ୍ଗିର, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଅବକାରୀ ଅଧିକାରୀ ବଲାଙ୍ଗିରଙ୍କୁ ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଭୁତିଆରବାହାଲ ଗ୍ରାମଟି ଏହି ଅଂଚଳର କେନ୍ଦ୍ର ସ୍ଥଳରେ ଅବସ୍ଥିତ । ଅନ୍ୟୁନ ୧୦ରୁ ୧୫ ଖଣ୍ଡ ଗ୍ରାମର ଲୋକେ ଏହି ଗାଁ ଉପରେ ନିର୍ଭରଶୀଳ ଅଟନ୍ତି । ମାତ୍ର ପଶ୍ଚାତାପର ବିଷୟ ଗାଁର ସର୍ବ ସାଧାରଣ ସ୍ଥଳ ଯଥା ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ, ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପାଖରେ ଏବଂ ସମ୍ମୁଖରେ ଖୋଳାଖୋଳି ଭାବରେ ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ହେଉଥିବାରୁ କୋମଳପତି ଛାତ୍ର ଛାତ୍ରୀ ତଥା ଅଂଚଳର ମାଁ ଭଉଣୀମାନେ ଏହି ରାସ୍ତାରେ ଯିବାକୁ ଭୟଭିତ ହେଉଛନ୍ତି । ଏପରିକି ସରକାରୀ ପ୍ରଥମିକ ବିଦ୍ୟାଳୟ ପାଖରେ ମଦବିକ୍ରି ଚାଲୁଥିବାରୁ ସଚେତନ ଅଭିଭାବକମାନେ ନିଜର ପୁଅ ଝିଅମାନେ ସ୍କୁଲ ଛାଡିବାକୁ ଅମଙ୍ଗ ହେଉଛନ୍ତି । ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ରୟ ଚାଲୁଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଛି । ଗାଁରେ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏହି କାରବାର ଚାଲୁଥିବାରୁ ଯୁବ ଛାତ୍ର ଓ ଛାତ୍ରୀଙ୍କ ଉପରେ ଗଭୀର କୁପ୍ରଭାବ ପଡୁଛି । ଏସବୁକୁ ଦୃଷ୍ଟିରେ ରଖି ଗାଁର ଅନେକ ସଚେତନ ନାଗରିକ, ବୁଦ୍ଧିଜିବୀ ଏବଂ ଯୁବକ ଯଥା ସତ୍ୟନାରାୟଣ ଦଣ୍ଡସେନା, ଅପୁର୍ବ କବାଟ, ଡୋଳାମଣି ପୁଟେଲ, ଅକୃର ସାହୁ, ରାଜ କୁମାର ଭୋଇ, ଡାକ୍ତର ଚୌଧୁରୀ, ଦଳ ମଲ୍ଲିକ, ରିଙ୍କୁ ଭୋଇ, ରାଜୁ ଭୋଇ ତଥା ଆହୁରି ଅନେକ ବ୍ୟକ୍ତି ବିଶେଷ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ବନ୍ଦ ପାଇଁ ଦାବି ଜଣେଇଛନ୍ତି ଏବଂ ଆଗାମୀ ଦିନରେ ଯଦି ସର୍ବସାଧାରଣ ସ୍ଥଳରେ ନିଶାଦ୍ରବ୍ୟ ବିକ୍ରୟର ପୁଣି ଜାରି ରହେ ତାହେଲେ ଜନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।