ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବିରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।୧୯୯୩ ମସିହାରୁ ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଏହି ଅଞ୍ଚଳରୁ ୩୫/୪୦ କିଲୋମିଟର ଦୂର ହେଉଥିବାରୁ ଲୋକଙ୍କ ପାଖକୁ ସରକାରୀ ଯୋଜନା ଠିକ ଭାବରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । ପାହାଡ଼ ପର୍ବତ ଘେରା ଭିତରେ ନଦୀ ପ୍ରତିବନ୍ଧକ ଓ ତିନୋଟି ଜିଲ୍ଲାର ସୀମାରେ ବହୁତ ଅବହେଳାରେ ଅବହେଳିତ ହୋଇ ସାମାଜିକ, ସାଂସ୍କୃତିକ, ଆର୍ଥିକ ଉନ୍ନତି ପଛରେ ଚାନ୍ଦୋତରା ଅଞ୍ଚଳ ରହିଆସିଥିବା ଅଭିଯୋଗ ହେଉଛି । ବିଚ୍ଛିନ୍ନ ଅଞ୍ଚଳ ଭାବେ ଦୀର୍ଘ ବର୍ଷ ଧରି ସରକାରୀ ସୁବିଧାରୁ ବହୁ ପଛରେ ରହିଯାଇଥିବା ଏହି ଅଞ୍ଚଳର ଲୋକଙ୍କୁ ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ୪୦ କିଲୋମିଟର ଦୂର ହେଉଥିବାରୁ ଏବେ ବି ଅନେକ ଲୋକ ମୁଖ୍ୟାଳୟକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଭୌଗୋଳିକ ଦୃଷ୍ଟିରୁ ଚାନ୍ଦୋତରା ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବାରୁ ଚାନ୍ଦୋତରାକୁ ବ୍ଲକ ଘୋଷଣା ହୋଇଆସୁଛି । ଦୀର୍ଘ ବର୍ଷରୁ ବ୍ଲକ ମାନ୍ୟତା ଦାବି ହୋଇଆସୁଥିବା ବେଳେ ଶନିବାର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଡ଼ିଓଙ୍କ ଅନୁପସ୍ଥିତିରେ ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ଦାବିପତ୍ର ଗ୍ରହଣ କରିଥିଲେ । ଚାନ୍ଦୋତରା ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଛା, ସମ୍ପାଦକ ତଥା ଭୁର୍ଷାଗୁଡ଼ା ସମିତି ସଭ୍ୟ ଦ୍ରୋପଦ ବାରିକ, ସହ ସମ୍ପାଦକ ଘାସିରାମ ସାହୁ, କୋଷାଧ୍ୟକ୍ଷ ତଥା ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା, ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା, ସନ୍ତୋଷ କୁମାର ବେହେରା, ନରେନ୍ଦ୍ର ରଣା, ଦେବ କୁମାର ବଛା, ପ୍ରଦୀପ ଜାଲ, କୈଳାସ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଚାନ୍ଦୋତରାକୁ ନୂତନ ବ୍ଲକ ମାନ୍ୟତା ଘୋଷଣା କରାଯିବା ପାଇଁ ଦାବି କରିଥିଲେ । ବ୍ଲକ ଘୋଷଣା ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.