jayashree

ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ବୃଦ୍ଧି ଦାବୀରେ କଣ୍ଟାବାଞ୍ଜି ବିକାଶ ପରିଷଦ ପକ୍ଷରୁ ମୁରିବାହାଲ ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ଦାବୀରେ କଣ୍ଟାବାଞ୍ଜି ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ମୁତାବକ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ସରକାରକୁ ଆସିଲେ ବୁଢ଼ାବୁଢ଼ୀ, ବିଧବା ଓ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟର ଅଗଣିତ ଭତ୍ତା ହିତାଧୀକାରୀଙ୍କ ସମର୍ଥନରେ ବର୍ତ୍ତମାନ ବିଜେପି ସରକାର ଗଠନ କରିସାରିଛି । କିନ୍ତୁ ଚଳିତ ବଜେଟ ଅଧିବେଶନରେ କେବଳ ୮୦ବର୍ଷରୁ ଅଧିକ ଏବଂ ୮୦ପ୍ରତିଶତରୁ ଅଧିକ ବିକଳାଙ୍ଗମାନଙ୍କୁ ୩୫ଶହ ଟଙ୍କା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଘୋଷଣା ରାଜ୍ୟର ଲକ୍ଷ ଲକ୍ଷ ଭତ୍ତା ହିତାଧୀକାରୀମାନଙ୍କ ପ୍ରତି ଉପହାସ ଅଟେ । ତେଣୁ ବିଜେପି ସରକାର ଦେଇଥିବା ପ୍ରତିଶୃତି ମୁତାବକ ଅତିଶୀଘ୍ର ସମସ୍ତ ବୁଢ଼ାବୁଢ଼ୀ, ବିଧବା ଓ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ଦାବୀ କରାଯାଇଛି । ପୂର୍ବରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରୁ ଶତାଧିକ ବୁଢ଼ାବୁଢ଼ୀ, ବିଧବା ଓ ବିକଳାଙ୍ଗ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଦାବିପତ୍ର ଗ୍ରହଣ କରିଥିଲେ । ଏଥିରେ ମୀନିକେତନ ପାତ୍ର, ଚିତ୍ତରଞ୍ଜନ ବାଗ, ଛିନୁ କେତକୀ, ମଣ୍ଟୁ ଗଡୁଆ, ଦିଲ୍ଲୀପ ଭୋଇ, ମଦନ ଥାଟି, ସୁଶାନ୍ତ ପଧାନ, ସୁଶୀଲ କାଣ୍ଡ, ଧନୁ ମେହେର, କାଳିଆ ନାଗ, ଗମ୍ଭୀର ରଣା, ପିଙ୍କୁ ବାଗ, ମହେଶ୍ୱର ସାହୁ ଓ ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସହ ଶହ ଶହ ହିତାଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.