ls

ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଯମୁନା ଗ୍ରାମବାସୀଙ୍କ ଦାବୀପତ୍ର ପ୍ରଦାନ

sb
  • ଗ୍ରାମକୁ ଲୋୟର ଇନ୍ଦ୍ର କେନାଲ ସମ୍ପ୍ରସାରଣ ଓ ମେଗା ପାଇପ୍ ଯୋଜନାରେ ସାମିଲ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମବାସୀଙ୍କ ପକ୍ଷରୁ ଏକ ଚାଷୀ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିବା ମୋହନ ଚରଣ ମାଝୀଙ୍କୁ ଗୁରୁବାର ରାତିରେ ସାକ୍ଷାତ କରିଛନ୍ତି । ଯମୁନା ଗ୍ରାମକୁ ଲୋୟର ଇନ୍ଦ୍ର ଜଳସେଚନ ଯୋଜନାରେ ସାମିଲ କରି କେନାଲ ସମ୍ପ୍ରସାରଣ ଓ ବାଙ୍କେଲ ଜଳସେଚନ ପ୍ରକଳ୍ପର ମେଗା ପାଇପ ଯୋଜନାରେ ସାମିଲ ଭଳି ଦୁଇଟି ଜ୍ୱଳନ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯମୁନା ଗ୍ରାମବାସୀଙ୍କ ଦାବୀ ମୁତାବକ ୭୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଲୋକେ ସମ୍ପୁର୍ଣ୍ଣ ଚାଷ ଉପରେ ନିର୍ଭର କରି ଚଳନ୍ତି । କିନ୍ତୁ ଅଧିକାଂଶ ସମୟରେ ବର୍ଷା ଅଭାବରୁ ଗ୍ରାମରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇ ଏକମାତ୍ର ଖରିଫ ଚାଷ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏଣୁ ଗ୍ରାମର ମାତ୍ର ଅଳ୍ପ ଦୂରରେ ଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଜନାରେ ସାମିଲ କରାଗଲେ ଚାଷୀ ଏକମାତ୍ର ଖରିଫ ଫସଲ ହେଲେ ଠିକ ଭାବେ ଅମଳ କରିପାରିବେ । ଏହା ପୂର୍ବରୁ ଗ୍ରାମବାସୀ ଏଥିପାଇଁ ଗତ ୦୭/୦୮/୨୦୨୩ରେ ମଧ୍ୟ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ ଏକ ଟିମ୍ ଆସି ତଦନ୍ତ କରି ଚାଲି ଯାଇଥିଲେ । ସେହିପରି ଗ୍ରାମକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପରୁ ବାଦ୍ ଦିଆଯାଇଥିବାରୁ ଗ୍ରାମକୁ ଏହି ଯୋଜନାରେ ସାମିଲ୍ କରାଯିବାକୁ ଦାବୀ କରାଯାଇଥିଲା । ଦାବୀପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା ଉପରେ ତଦନ୍ତ କରାଯିବ ଓ ଗ୍ରାମକୁ ନିଶ୍ଚିତ ଭାବେ କେନାଲ ସମ୍ପ୍ରସାରଣ କରାଯିବ ବୋଲି ପ୍ରତିନିଧିଙ୍କୁ ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂର୍ବରୁ ଗ୍ରାମବାସୀ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମଧ୍ୟ ସେଠାରେ ଭେଟି ଏକ ଦାବୀପତ୍ର ପ୍ରଦାନ କରି ଉଭୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଏହି ଚାଷୀ ପ୍ରତିନିଧି ଦଳରେ ବ୍ରଜମୋହନ ମହାକୁର, ଭିକାରୀ ପାତ୍ର, ଗାନ୍ଧିଲାଲ ମହାକୁର, ଲୋଚନ ମହାକୁର, ଡଗର ମହାକୁର, ହିରାଲାଲ ମହାକୁର ଓ ସରୋଜ ମହାକୁର ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.