ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆଠାରୁ ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲା ତରଫରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ପଶ୍ଚିମ ଓଡିଶାରେ ବସବାସ କରୁଥିବା ଅଘରିଆ ସମାଜକୁ ଭୁବନେଶ୍ୱରରେ ଅଧଏକର ଭୂମି ଓ ୩ କୋଟି ଅନୁଦାନକୁ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଟ୍ରଷ୍ଟ ନାମରେ କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଉକ୍ତ ଜମିକୁ ଭୁବନେଶ୍ୱରର ଅଗ୍ରଗାମୀ ନାମକ ଗୋଟିଏ କ୍ଲବ / ଅନୁଷ୍ଠାନକୁ ଅଗ୍ରୀମ ଦଖଲ ସରକାରଙ୍କ ତରଫରୁ ଦିଆଯାଇଛି । ଯାହାକୁ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ତୀବ୍ର ବିରୋଧ କରିଆସୁଛି । ବାରମ୍ବାର ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ତରଫରୁ ସରକାରଙ୍କ ପାଖରେ ଦାବୀ ଜଣାଇବା ପରେ ମଧ୍ୟ ସରକାର ଶୁଣୁ ନଥିବାରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପୁଣି ଏକ ଦାବୀପତ୍ର ଦିଆଯାଇଥିଲା । ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ଓ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକଙ୍କ ନେତୃତ୍ୱରେ ଜିଲ୍ଲା କେନ୍ଦ୍ର କମିଟି, ସମସ୍ତ ମଣ୍ଡଳ କମିଟି, ସମସ୍ତ ଗୁଡ଼ି କମିଟି, ଜିଲ୍ଲା କୃଷକ ମଞ୍ଚ, ଜିଲ୍ଲା ଯୁବା ମଂଚ ଓ ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ପାଞ୍ଚ ଲକ୍ଷ ଅଘରିଆ ଜାତିର ଉଦ୍ଦେଶ୍ୟରେ ଭୂମି ଓ ଅନୁଦାନ ଘୋଷଣାକୁ ଯଦି ସରକାର ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଟ୍ରଷ୍ଟ ନାମରେ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।