ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ସଙ୍ଘ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଦୁଃଖକୁ ଦିଗୁଣିତ କରିଛି । ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ କିନ୍ତୁ ଯେମିତି ଦୀପ ତଳ ଅନ୍ଧାର, ସେମିତି ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି । ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି ବୋଲି ଲୋକସଭା ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ତାତିରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ଏହାରି ଭିତରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରି ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରୁଛି ବିଦ୍ୟୁତ ବିଭାଗ । ବିଜେପି ସଙ୍ଘର ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଅଞ୍ଚଳରେ ଝଡ, ତୋଫାନ, ବର୍ଷା ଭଳି କୌଣସି ପ୍ରାକୃତି ବିପର୍ଯ୍ୟାୟ ପରିସ୍ଥିତି ସୃଷ୍ଟି ନହୋଇ ପାଗ ଠିକ୍ ଥିବା ସତ୍ୱେ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ରହୁଛି । ସହର ଅପେକ୍ଷା ଗ୍ରାମାଞ୍ଚଳ ଗୁଡିକରେ ଅଧିକ ବିଦ୍ୟୁତ କାଟ ହେଉଅଛି । ସରକାରଙ୍କ ପକ୍ଷରୁ ଉତ୍ତମ ସେବା ଯୋଗାଇବା ନାମରେ ବେସରକାରୀ କମ୍ପାନୀ ହାତରେ ବିଦ୍ୟୁତ ବିଭାଗକୁ ଟେକି ଦିଆଯାଇଥିବା ବେଳେ ଟ୍ରାନ୍ସଫରମରରୁ ସାମନ୍ୟ ଫ୍ୟୁଜ ଯାଇଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀମାନେ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ଗ୍ରାହାକମାନଙ୍କୁ ସିଧା ସଳଖ ଶୋଷଣ କରାଯାଉଥିଲେ ମଧ୍ୟ ସେମାନଙ୍କ ଗୁହାରି ଶୁଣିବାକୁ କେହିନାହାନ୍ତି । ଚାଷୀ ଚାଷ ଜମିରେ ପାଣି ସିଞ୍ଚନ କରିବାକୁ ଚାହିଁଲେ ଉପଯୁକ୍ତ ସମୟରେ ବିଦ୍ୟୁତ ନ ରହିବା ଯୋଗୁଁ ସେ ଅନେକ କ୍ଷତି ସହୁଛି, ଗାଁ ମାନଙ୍କରେ ମହିଳାମାନେ ପାଣିପାଇଁ ସଅଳ ଉଠି ପଡନ୍ତି କାହିଁକିନା ଦୈନନ୍ଦିନ ଚଳଣି ପାଇଁ ପାଣି ନିହାତି ଦରକାର କିନ୍ତୁ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାଣି ପାଇପାରୁ ନାହାନ୍ତି । ଯଦି ଜନସାଧାରଣଙ୍କ ସମସ୍ୟା ସରକାର ଦୂର କରିପାରୁ ନାହାନ୍ତି ତାହେଲେ ଏମାନଙ୍କ ଦୁଃଖ ବୁଝିବ କିଏ ? ବିଦ୍ୟୁତ ବିଭାଗର କର୍ମଚାରୀ ମନେ ଗ୍ରାହକ ମାନଙ୍କ ଠାରୁ ଜୋର ଜବରଦସ୍ତି ବିଲ ଆଦାୟ କରୁଛନ୍ତି । ଏଥିପାଇଁ ଅନେକ ଜାଗାରେ ଗଣ୍ଡଗୋଳ ମଧ୍ୟ ଉପୁଜିଛି । ଯଦି ଲୋକେ ଠିକ୍ ସମୟରେ ବିଦ୍ୟୁତ ବିଲ ପଇଠ କରୁଛନ୍ତି ତାହେଲେ ଅଘୋଷିତ ବିଦ୍ୟୁତ କାଟ କାହିଁକି କରାଯାଉଛି । ଯଦି ବାରମ୍ବାର ବିଦ୍ୟୁତ କାଟ ବନ୍ଦ ନହେବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ଦାବୀ ପତ୍ରରେ ଉଲ୍ଲେଖ କରିବା ସହ ଚେତାବନୀ ଦେଇଛି । ଏହି ଆନ୍ଦୋଳନରେ ଦେବକାନ୍ତ ପାଣିଗ୍ରାହୀ, ସତ୍ୟାନନ୍ଦ ସେନ୍ଦ୍ରିଆ, ସୌଭାଗ୍ୟ କୁମାର ସିଂଦେଓ, ବାବାଜୀ ମେହେର, କର୍ଣ୍ଣ ସିଂ ଠାକୁର, ହରିବୋଲ ପୋଢ଼, ରୋହିତ ମେହେର, ଭରତ ସାହୁ, ନାରାୟଣ ଦଣ୍ଡସେନା, କ୍ଷୀରସିନ୍ଧୁ ବନଛୋର, ନନ୍ଦୁ ବରିହା, ନେତ୍ରାନନ୍ଦ ବରିହା ସହ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।