
ଭାରତୀୟ କିସାନ ସଂଘ୍ ବରଗଡ଼ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଳ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ କିସାନ ସଂଘ ବରଗଡ଼ ଜିଲ୍ଲା ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପାଇକମାଲ ତହସିଲଦାରଙ୍କ ଜରିଆରେ ଏକ ୬ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଧାନ କିଣା ବିକା ପ୍ରକ୍ରିୟାକୁ ଜଟିଳ ନକରି ଅଣ ଜଳସେଚିତ ଗଭୀର ନଳକୂପରେ ଚାଷ ଜମିର ସମସ୍ତ ଧାନ ଏହି ରବି ଋତୁରେ କିଣାଯାଉ ତତ ସହିତ ସୁଦୃଢ ମଣ୍ଡି ବ୍ୟବସ୍ଥା କରାଯାଉ । କୃଷି ପାଇଁ ଜଳର ଆବଶ୍ୟକତା ରହିଛି ତେଣୁ ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକରେ ଜଳସେଚନ ସକାଶେ ଅଙ୍ଗ ନଦୀ ଅବବାହିକାରେ ଆନିକଟ ନିର୍ମାଣ କରାଯାଉ । ନଳକୂପ ଖନନ ସରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ ସେହି ସ୍ଥାନରେ ବିଦ୍ୟୁତ୍ ସଂଯୋଗ କରାଯିବା ସହ ଅଯଥା ସ୍ମାର୍ଟ ମିଟର ଲଗାନଯାଉ । ସମସ୍ତ ଚାଷୀ ମାନଙ୍କୁ ସରକାର ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ପୂର୍ବକ କାର୍ଡ ପ୍ରଦାନ କରି ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ କରାଯାଉ । ଜୈବିକ କୃଷି ଓ ମିଲେଟ ମିଶନରେ କାର୍ଯ୍ୟରତ କେତେକ ବେସରକାରୀ ଅନୁଷ୍ଠାନର କାର୍ଯ୍ୟ ପଦ୍ଧତି ସନ୍ଦେହ ପୂର୍ଣ୍ଣ ରହିଛି ଫଳରେ ଆଶାତୀତ ଫଳ ପାଇବାରେ ଚାଷୀ ବଞ୍ଚିତ ହେଉଛନ୍ତି ତେଣୁ ସରକାର ଏହାକୁ ଡ଼ିବିଟି ମାଧ୍ୟମରେ ସିଧାସଳଖ ପ୍ରଦାନ କରନ୍ତୁ । ଅଜଣା କ୍ରାଫ୍ଟ ଟାଈଫସକୁ ପ୍ରାକୃତିକ ଦୁର୍ବିପାକ ଘୋଷଣା ସହ ଏହି ରୋଗରେ ମୃତ ଚାଷୀ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉ । ସଂଘ ଏହି ସବୁ ଦାବି ସମ୍ବଳିତ ଏକ ଦାବି ପତ୍ର ପାଇକମାଳ ତହସିଲଦାର ସିନ୍ଧୁ ସୂତା ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ସମୟରେ ଭାରତୀୟ କିସାନ ସଂଘ୍ , ବରଗଡ଼ ଜିଲ୍ଲାର ସଭାପତି ପିତାମ୍ବର ସାହୁ, ସମ୍ପାଦକ କବିରାଜ ସାହୁ, ସହ ସମ୍ପାଦକ କରୁଣାକର ପ୍ରଧାନ, ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ଓ ମୀନକେତନ ସାହା ଏବ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ଚାଷୀ ମାନେ ଉପସ୍ଥିତ ରହିଥିଲେ ।