କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯୋଗିନୀ ପୀଠ ପାଇଁ ୧୦୦ କୋଟି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯୋଗିନୀ ପୀଠ ପାଇଁ ୧୦୦ କୋଟି ଦାବୀ କରାଯାଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଜିଲ୍ଲାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ଏହାର ପ୍ରାକୃତିକ ପରିବେଶ ପୀଠର ମାହାତ୍ମ ସମସ୍ତଙ୍କୁ ଆକର୍ଷିତ କରେ । କିନ୍ତୁ ଏହି ପୀଠର ଯେଉଁଭଳି ବିକାଶ କରାଯିବା କଥା ତାହା କରାଯାଇନାହିଁ । ୨୦୧୯ ମସିହା ଜାନୁଆରୀ ୧୫ ତାରିଖରେ ବଲାଙ୍ଗିର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗିନୀ ପୀଠର ବିକାଶ ପାଇଁ ୪.୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଥିଲେ । ଏହି ଅନୁଦାନ କୁଆଡେ ଗଲା ତାର ହିସାବ ନାହିଁ । ରାଜ୍ୟ ସରକାର ଉପକୂଳ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ର ଓ ଦେବା ଦେବୀ ମନ୍ଦିରର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି । କିନ୍ତୁ ପଶ୍ଚିମ ଓଡିଶାର ଦେବା ଦେବୀ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆଖିଦୃଶିଆ ବଜେଟ କରି ନାହାନ୍ତି । ସୂଚନାଯୋଗ୍ୟ ଯେ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗିନୀ ପୀଠର ବିକାଶ ପାଇଁ ସ୍ୱର ଉଠାଇଥିଲେ । କିନ୍ତିୁ ସରକାରୀ ସ୍ତରରେ ବିକାଶ ପାଇଁ ପଦକ୍ଷେପ ନିଆଯାଇ ନାହିଁ । ଏହା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଥିବା ଅଭିଯୋଗ କରିଛି କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା । କେଏମ୍‌ଏମ୍‌ର ଉପସଭାପତି ଗଣେଶ ସାହୁ, ଆବାହକ ସିପୁନ ଖମାରୀ, ସଭାପତି ବିକାଶ ସା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦାବୀପତ୍ର ଦେଇଛନ୍ତି । ଯୋଗିନୀ ପୀଠର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

error: Content is protected !!