ଟ୍ରକ ଧକ୍କାରେ ଗାଈଗୋରୁ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି : ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ବାଇପାସ ଚମାଖଣ୍ଡି ଥାନା ନାଜିର ପେଟ୍ରୋଲ ଟ୍ୟାଙ୍କ ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ୯ ଗାଈ ଏବଂ ଗୋଟିଏ ବାଛୁରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଘଟଣାଟି ସୋମବାର ସନ୍ଧ୍ୟାବେଳେ ଗୋଧୂଳି ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଛତ୍ରପୁର ଉପଖଣ୍ଡ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନାବସ୍ଥାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଗୋଟିଏ ଗୋରୁ ଛଟପଟ ହେଉଥିବା ଅବସ୍ଥାରେ ବିଶ୍ୱ ହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳର ଆଞ୍ଚଳିକ ଗୋଷ୍ଠୀ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ରାତିରେ ସେହି ଗୋରୁର ମୃତ ହୋଇଥିବା ବିଷୟରେ ଏସ୍.ରାମକ୍ରିଷ୍ଣା ରେଡ୍ଡୀ ଜଣାଇଛନ୍ତି । ତେବେ ମୃତ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉକ୍ତ ଦିନ ଉତ୍ତ୍ୟକ୍ତ ଜନସାଧାରଣଙ୍କ ପକ୍ଷରୁ ୨ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରାଯାଇଛି । ଯାହା ଫଳରେ ଶହ ଶହ ଭାରୀ ଯାନବାହାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା । ଘଟଣା ସ୍ଥଳରେ ଆଇଆଇସି ସୁଦୀପ୍ତ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ଜଗନ୍ନାଥପୁର ଠାରୁ ଛତ୍ରପୁର ମଧ୍ୟରେ ଓଭର ବ୍ରିଜ ନିର୍ମାଣ, ଛତ୍ରପୁର ଠାରେ ଗୋଶାଳା ନିର୍ମାଣ ଏବଂ କ୍ଷତିପୂରଣ ଦାବୀ କରାଯାଇଛି । ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଥିଲା । ଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଡ୍ରାଇଭର ଆକମଉଦ୍ଦିନକୁ ପୋଲିସ ଅଟକ ରଖିଥିଲେ । କିନ୍ତୁ ପୋଲିସ ପ୍ରଶାସନ ତରଫରୁ ଉକ୍ତ ସଡ଼କ ଦୁର୍ଘଟଣାରେ ନିରୀହ ପ୍ରାଣୀ ଗୋରୁଙ୍କର ମୃତ ଜାତୀୟ ରାଜପଥରେ ରକ୍ତ ବୋହିଯାଇଥିବା ଭଳି ଏହି ଅଭାବନୀୟ ଘଟଣା ସମ୍ପର୍କରେ ଡ୍ରାଇଭରଙ୍କୁ ଗିରଫ କରାଯାଇ ନଥିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି ବୋଲି ମତ ପ୍ରକାଶ ପାଇଛି । ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜାତୀୟ ରାଜପଥରେ ଏଭଳି ମଡକ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.