ଆମ୍ବଷଡା ସ୍କୁଲର ସଫଳତା, ଶିକ୍ଷକ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ଆମ୍ବଷଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ମୋଟ ୨୧୬ ଜଣ ବିଦ୍ୟାର୍ଥୀ ଅଛନ୍ତି । ବିଦ୍ୟାଲୟରେ ମାତ୍ର ୫ଜଣ ଶିକ୍ଷକ ଥିବା ସତ୍ୱେ ୨୦୧୨ ମସିହାରୁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା ବ୍ଲକସ୍ତରୀୟ ପରୀକ୍ଷା- ମେଧାବୃତ୍ତି, ପ୍ରାଥମିକ ମେଧାବୃତ୍ତି, ପଠାଣି ସାମନ୍ତ, ଏନଆରଟିଏସ, ଜେଏନଭି ଆଦି ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଲୟର ନାଁ ରଖିଛନ୍ତି । ଏହି ବର୍ଷ ମଧ୍ୟ‌ ୩ ଜଣ ବିଦ୍ୟାର୍ଥୀ ସଫଲତା ଅର୍ଜନ କରିଛନ୍ତି । ରାମସାହୁ ପଠାଣି ସାମନ୍ତ ପରୀକ୍ଷାରେ ଏବଂ ଆଉ ୨ଜଣ ଛାତ୍ରୀ ଶୁଭାଙ୍ଗୀ ବାରିକ ଓ ନିବେଦିତା ଭୁଏ ଜେଏନଭିରେ ପାଦ ଥାପିଛନ୍ତି । ଗରିବ ଘରର ଛାତ୍ରୀ ଦୁଇଜଣ ଜେଏନଭିରେ ପାଦ ଥାପିବା, ବିଦ୍ୟାଲୟ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଏଥିପାଇଁ ବିଦ୍ୟାଲୟର ଶିକ୍ଷକଗଣ ତଥା ବିଦ୍ୟାଲୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ଅଧ୍ୟ‌କ୍ଷା ଶ୍ରୀମତୀ ଟିକେଶ୍ୱରୀ ପ୍ରଧାନ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବିଦ୍ୟାଲୟରେ ଆହୁରି ୩ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ସରକାରଙ୍କ ତରଫରୁ ଏହି ଆବଶ୍ୟକତାକୁ ପୂରଣ କରାଗଲେ, ଆହୁରି ଅନେକ ବିଦ୍ୟାର୍ଥୀ ପ୍ରତିବର୍ଷ ଏଇ ଭଳି ସଫଲତା ଅର୍ଜନ କରିବେ ବୋଲି ଅଭିଭାବକମାନେ ଆଶା ଓ ବିଶ୍ୱାସ ରଖିଛନ୍ତି ।

Leave A Reply

Your email address will not be published.