ଚାଷୀଙ୍କ ପାଇଁ ବିନା ସୁଧ ଋଣ, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଓ ଗରିବଙ୍କୁ ଆଇନଗତ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି
ନୂଆଦିଲ୍ଲୀ : ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ, ଦେବାଳିଆ ଓ ଋଣ ପରିଶୋଧ ଅକ୍ଷମତା ସଂହିତା (ସଂଶୋଧନ) ବିଲ୍ ୨୦୨୬ ଉପରେ ଚର୍ଚ୍ଚା ଅବସରରେ କହିଥିଲେ ଯେ, ପ୍ରସ୍ତାବିତ ସଂଶୋଧନ ସାମାଜିକ ନ୍ୟାୟ, ସମାନତା ଓ ସମ୍ବିଧାନିକ ଦାୟିତ୍ୱକୁ ସମ୍ମାନ କରିବା ଉଚିତ । ସାଂସଦ ଶ୍ରୀ ବିଶି କହିଥିଲେ ଯେ, ଦେବାଳିଆ ବ୍ୟବସ୍ଥା ଆର୍ଥିକ ସ୍ଥିରତା ପାଇଁ ଆବଶ୍ୟକ, କିନ୍ତୁ ଏହାର ଲାଭ ସମସ୍ତ ବର୍ଗଙ୍କୁ ସମାନ ଭାବେ ମିଳିବା ଦରକାର । ସାଂସଦ ଉଲ୍ଲେଖ କରିଥିଲେ ଯେ, ବଡ଼ କମ୍ପାନୀମାନେ ଋଣ ପୁନର୍ଗଠନ ଓ ଆଇନଗତ ସୁରକ୍ଷା ପାଉଥିବାବେଳେ ଚାଷୀ ଓ ଦୁର୍ବଳ ବର୍ଗ ଆର୍ଥିକ ସଙ୍କଟରେ ରହିଛନ୍ତି । ସେ ଆହୁରି କହିଥିଲେ ଯେ, ଚାଷୀମାନେ ଇଚ୍ଛାକୃତ ଭାବେ ଋଣଗ୍ରସ୍ତ ନୁହନ୍ତି, ବରଂ ଜଳବାୟୁ ପରିବର୍ତ୍ତନ, ଫସଲ ହାନି ଓ ବଜାର ଅସ୍ଥିରତାର ପରିଣାମରେ ଏହା ଘଟୁଛି । ସାଂସଦ ଶ୍ରୀ ବିଶି ଚାଷୀଙ୍କ ପାଇଁ ସୁଧ ମୁକ୍ତ ଓ ଜମାନତ ବିହୀନ ଋଣ ସହିତ କୃଷକ ଋଣ ଛାଡ଼ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ରଖିଥିଲେ । ସାଂସଦ ଶ୍ରୀ ବିଶି ଚାଷୀମାନଙ୍କୁ ଏହି ସଂହିତାର କଠୋର ପ୍ରକ୍ରିୟାରୁ ସୁରକ୍ଷା ଦେବାକୁ କହିଥିଲେ । ସମ୍ବିଧାନର ଧାରା ୩୮, ୩୯ ଓ ୪୬ ଉଲ୍ଲେଖ କରି ସେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଉପରେ ଜୋର ଦେଇଥିଲେ । ସାଂସଦ କହିଥିଲେ ଯେ, ଆଦିବାସୀ ଜମି ଅଧିକାର ଓ ଗରିବ ପରିବାରମାନଙ୍କ ଆର୍ଥିକ ସୁରକ୍ଷା ଜଟିଳ ପରିସ୍ଥିତିରେ ରହିଛି । ସେ ପ୍ରସ୍ତାବ ରଖିଥିଲେ ଯେ, ଗରିବଙ୍କ ସମ୍ପତ୍ତି ଜବତ ନକରାଯାଉ ଓ ଆଦିବାସୀ ଜମି ଅଧିକାରର କଡ଼ା ସୁରକ୍ଷା ନିଶ୍ଚିତ କରାଯାଉ । ସେଥିପାଇଁ ଦୁର୍ବଳ ବର୍ଗ ପାଇଁ ଏକ ସରଳ ଓ ପୃଥକ ଦେବାଳିୟା ଏବଂ ଋଣ ଶୁଝିବା ସକ୍ଷମହୀନ ବ୍ୟବସ୍ଥା ଆବଶ୍ୟକ ବୋଲି କହିଥିଲେ । ଓଡ଼ିଶା ସନ୍ଦର୍ଭରେ ସେ କହିଥିଲେ ଯେ, ଅଞ୍ଚଳ ଭିତ୍ତିକ ସାମାଜିକ-ଆର୍ଥିକ ପରିସ୍ଥିତିକୁ ଧ୍ୟାନ ଦେଇ ଆଇନ ପ୍ରୟୋଗ କରାଯିବା ଉଚିତ । ସେ ସତର୍କ କରିଥିଲେ ଯେ, ଆଇନ ଗ୍ରାମୀଣ ସଙ୍କଟ ଓ ଦାଦନ ଶ୍ରମିକ ବୃଦ୍ଧି କରିପାରେ । ସେ ଗରିବ ଋଣଗ୍ରାହୀଙ୍କ ପାଇଁ ଆଇନଗତ ସହାୟତା ଓ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସାମାଜିକ ପ୍ରଭାବ ଆକଳନକୁ ଜୋର ଦେଇ ଏକ ମାନବକେନ୍ଦ୍ରିକ ବିଧେୟକ ବ୍ୟବସ୍ଥା ଆବଶ୍ୟକ ବୋଲି କହିଥିଲେ ।