ପଦ୍ମପୁର ଏନ୍.ଏ.ସି.ରେ ନିୟମ ଉଲ୍ଲଂଘନ କରି ଚାଲିଛି ଆମିଷ ଦୋକାନ : ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ଛତୁଫୁଟିଲା ପରି ଖୋଲି ଚାଲିଛି ଆମିଷ ଦୋକାନ । ଆମିଷ ବ୍ୟବସାୟୀ ନିୟମ ଅନୁସରଣ ନକରି ଆମିଷ ଦୋକାନ ଖୋଲି ଚଳାଉଥିବା ଅଭିଯୋଗ ହେଉଛି । ମନଇଚ୍ଛା ଆମିଷ ବ୍ୟବସାୟୀ ମାନେ କଲେଜ ରୋଡ, ଜଗଦଳପୁର ରୋଡ, ବରଗଡ ରୋଡ, ଗାଇସିଲେଟ ରୋଡ, ପାଟଣାଗଡ ରୋଡ ଓ ସହରର ଜନଗହଳିପୁର୍ଣ୍ଣ ସ୍ଥାନ ଗୁଡିକରେ ଆମିଷ ଦୋକାନ ଖୋଲି ଅସ୍ୱାସ୍ଥ୍ୟକର ପରିବେଶରେ ଆମିଷ ବିକ୍ରି କରୁଛନ୍ତି । ରାସ୍ତା ଉପରେ ଆମିଷ ବିକ୍ରି ହେବା ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଛୋଟଛୋଟ ଶିଶୁମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି । ମନଇଚ୍ଛା ଆମିଷ ଦୋକାନ ଖୋଲିବା ଫଳରେ ଆମିଷ ଦୋକାନ ପାଖରେ ରହିଥିବା ଅନ୍ୟାନ୍ୟ ଦୋକାନ ଗୁଡିକରେ ଲୋକମାନେ ଆସୁନଥିବା ଅଭିଯୋଗ ହେଉଛି । ସରକାରୀ ନିୟମ ଅନୁସାରେ ଆମିଷ ଦୋକାନ ଚାଲୁ କରିବା ପାଇଁ ସ୍ଥାନୀୟ ଏନଏସି ପ୍ରଶାସନ ଠାରୁ ଟ୍ରେଡ୍ ଲାଇସେନ୍ସ ନେବା ସହିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିୟମ ମାନିବା ଆବଶ୍ୟକ ରହିଛି । କିନ୍ତୁ ଅଭିଯୋଗ ଅନୁଯାୟୀ ଅଧିକାଂଶ ସ୍ଥାନରେ ବିନା ଲାଇସେନ୍ସ ଏବଂ ଯଥାପ୍ରକାର ସ୍ୱଚ୍ଛତା ବ୍ୟବସ୍ଥା ନଥିବା ସତ୍ତ୍ୱେ ମାଂସ ଓ ମାଛ ବିକ୍ରି କରାଯାଉଛି । ଏହା ଫଳରେ ଅଞ୍ଚଳରେ ପରିବେଶ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷ କରି ବର୍ଜ୍ୟ ପଦାର୍ଥ ସଠିକ ଭାବେ ପରିଚାଳନା ନହେବାରୁ ଦୁର୍ଗନ୍ଧ ଓ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ସରକାରୀ ନିୟମ ଅନୁସାରେ ଖାଦ୍ୟ ସମ୍ବନ୍ଧୀୟ ବ୍ୟବସାୟ ପାଇଁ ଖାଦ୍ୟ ସୁରକ୍ଷା ବିଭାଗର ବୈଧତା ରହିଥିବା ସାର୍ଟିଫିକେଟ (ଏଫ.ଏସ.ଏସ.ଏ.ଆଇ) ଆବଶ୍ୟକ ହୋଇଥାଏ, ହେଲେ ଏଫ.ଏସ.ଏସ.ଏ.ଆଇ ନିୟମକୁ କୌଣସି ଦୋକାନୀ ପାଳନ କରୁନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀମାନେ ଚିନ୍ତା ବ୍ୟକ୍ତ କରିବା ସହିତ ଶୀଘ୍ର ଏନ୍.ଏ.ସି ପ୍ରଶାସନ ପକ୍ଷରୁ ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ନିୟମ ଅନୁସାରେ ଏହି ବ୍ୟବସାୟ ଚାଲୁ ନହୁଏ, ତେବେ ଏହା ଜନସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ପ୍ରଶାସନିକ ନିୟମକୁ ମଧ୍ୟ ଅବମାନ କରିବା ସହ ସମାନ । ତେଣୁ ଏହି ବିଷୟରେ ସମ୍ପୃକ୍ତ ବିଭାଗ ତତ୍କାଳ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣ ଲୋକମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.