ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ (ଏନ୍ଏସ୍ୟୁଆଇ) ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ନୂତନ ଏକାଡେମୀକ ବିଲଡିଂ ସମ୍ମୁଖରେ ଏକ ସୁବ୍ୟବସ୍ଥିତ ପାର୍କିଂ ଜୋନ ସୃଷ୍ଟି କରିବା ସହିତ ବିଶ୍ୱବିଦ୍ୟାଳୟ ରାସ୍ତାରେ ସ୍ପିଡ ବ୍ରେକର ଓ ସ୍ପିଡ ସିଗନାଲ ସ୍ଥାପନ କରିବାକୁ ଦାବି କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ କହିବା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ମାର୍ଗରେ ଯାନବାହନର ଗତି ଅଧିକ ଥିବାରୁ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଏହା ସହିତ ନୂତନ ଏକାଡେମୀକ ବିଲଡିଂ ପାଖରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାପରେ କୁଳପତି ଓ କୁଳସଚିବ ଛାତ୍ର ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଯଥାଶୀଘ୍ର ଏହି ସମସ୍ତ ଦାବି ଗୁଡିକ ପୁରଣ କରାଯିବ ।
