ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲୌଡ଼ିଦର୍ହା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅସଂଖ୍ୟ ମହିଳାମାନେ ଆଜି ପୃଥକ ପୃଥକ ଭାବେ ଝାରବନ୍ଧ ବିଡ଼ିଓ, ତହସିଲଦାର ଝାରବନ୍ଧ ଓ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଗୌଡ଼ମାଲକୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ତଥା ଗୌଡମାଲ, କୁର୍ମା ଓ ଶିକାରୀପାଲି ଗ୍ରାମକୁ ନେଇ ନୂତନ ପଞ୍ଚାୟତ ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଲୌଡ଼ିଦର୍ହା ଏକ ଜନସଂଖ୍ୟା ବହୁଳ ପଞ୍ଚାୟତ ହୋଇଥିବାରୁ ବିଭାଜନ କରି ଆଉ ଏକ ନୂତନ ପଞ୍ଚାୟତ ଗଠନର ସୀମା ନିର୍ଦ୍ଧାରଣ କରିବାକୁ ଆଜି ଜିଲ୍ଲାପାଳ ବରଗଡ଼ ଓ ଉପ ଜିଲ୍ଲାପାଳ ପଦ୍ମପୁରଙ୍କ ଗୋଚରାର୍ଥେ ଦାବିପତ୍ର ପ୍ରଦାନ କରିଛନ୍ତି । ଗୌଡମାଲ ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ,ଡାକଘର ବ୍ୟବସ୍ଥା ସମେତ ଏକ ୪ ୱାଡ଼ ବିଶିଷ୍ଟ ଜନସଂଖ୍ୟା ବହୁଳ ଓ ରାଜସ୍ୱ ପୋଖରୀ ଅଧିକ ଥିବାରୁ କୁର୍ମା ଓ ଶିକାରୀପାଲି ଗ୍ରାମକୁ ମିଶ୍ରଣ କରି ଏକ ନୂତନ ପଞ୍ଚାୟତ ଗଠନ କଲେ ଏ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଯଦି ଗୌଡମାଲ ବ୍ୟତୀତ ଅନ୍ୟ କୌଣସି ଗ୍ରାମକୁ ପଞ୍ଚାୟତ ମୁଖ୍ୟାଳୟ ଭାବେ ଗ୍ରହଣ କରାଯାଏ ତେବେ ଗୌଡ଼ମାଲ ସ୍ୱୀକାର କରିବ ନାହିଁ ବୋଲି ଆସିଥିବା ମହିଳାମାନେ ସ୍ୱଷ୍ଟ କରିଛନ୍ତି । ଗ୍ରାମର ସ୍ୱେଚ୍ଛାସେବୀ ପଦ୍ମନ ରଣା ଓ ଧନଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ସଂଖ୍ୟାଧିକ ମହିଳା ଝାରବନ୍ଧରେ ସମ୍ମିଳୀତ ଥିଲେ ।
Next Post