ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଉଦ୍ଧେଶ୍ୟରେ ତିନିଦଫା ଏକ ସମ୍ବଳିତ ଦାବିପତ୍ର ସ୍ଥାନୀୟ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ଜରିଆରେ ପ୍ରଦାନ କରିଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ମାଟ୍ରିକ ସିଟିରୁ ଯୁକ୍ତ ଦୁଇ ସିଟି ପୋଷ୍ଟକୁ ଉନ୍ନୀତ କରି ମୂଳ ଗ୍ରେଡ଼ ପେ ୪୨୦୦୵ ଦିଆଯାଉ । ୟୁଏଏସ ଭଳି କୁତ୍ସିତ ସିଷ୍ଟମ ଲାଗୁ କରିବା ପୂର୍ବରୁ ଭିତ୍ତିଭୂମି ସୁଦୃଢ କରାଯାଉ । ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାବଲେଟ, ଲାପଟପ, ଯୋଗାଇ ଦେବା ସହ ଉପସ୍ଥାନ କ୍ଷେତ୍ରରେ ବିଦ୍ୟାଳୟ ଲୋକେସନ ବ୍ୟବସ୍ଥାର ଉଛେଦ କରାଯାଉ । ଅନେକ ବିଦ୍ୟାଳୟଗୁଡିକ ଉଠାଇ ଦିଆଯାଇଥିବାରୁ ଏବଂ ଯାତାୟାତ ଦୂରତା ହେତୁ ପ୍ରାର୍ଥନା ଏବଂ ଉପସ୍ଥାନ ନେବାପରେ ମଧ୍ୟ ଛାତ୍ରଛାତ୍ରୀ ଆସୁଥିବାରୁ ମଧ୍ୟାହ୍ନ ଭୋଜନ ପରିଚାଳନା କ୍ଷେତ୍ରରେ ସମସ୍ୟା ଦେଖା ଦେବ । ସବୁ ବିଦ୍ୟାଳୟରେ ନେଟୱର୍କ ସୁବିଧା ନଥିବାରୁ ଉପସ୍ଥାନରେ ସମସ୍ୟା ରହିବ । ଡାଟା ପେକ ସରକାର ପ୍ରଦାନ ନକଲେ ଏହି କ୍ଷେତ୍ରରେ ମଧ୍ୟ ଅସୁବିଧା ସୃଷ୍ଟି ହେବ । ପ୍ରମୋସନ ସରଳୀକରଣ କରାଯାଉ । କାରଣ ୨୦୧୧ ପୂର୍ବ ନିଯୁକ୍ତିରେ ଓଟିଇଟି ବିଜ୍ଞପ୍ତି ସମୟରେ ପ୍ରକାଶିତ ହୋଇ ନଥିଲା, ଏଣୁ ନିଯୁକ୍ତି ବରିଷ୍ଠତା ଆଧାରରେ ପ୍ରମୋସନ ଦିଆଯାଉ ଆଦି ଉପରେ ଦାବୀ ପତ୍ର ବିଭାଗୀୟ ସଚିବ, ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ, ଓଡିଶା ସରକାରଙ୍କୁ ପ୍ରଦାନ କରାଯାଇଛି । ଉପରୋକ୍ତ ଦାବୀଗୁଡିକ ସରକାର ପୂରଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ସହ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ ବା ଅଚଳ କରିବାସହ ଆଗାମୀ ଦିନରେ ସରକାରଙ୍କୁ ମହଙ୍ଗା ପଡିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣୁ ତୁରନ୍ତ ଦାବୀଗୁଡିକ ମାନିନେବାକୁ ବରିଷ୍ଠ ଶିକ୍ଷକ ରଘୁନାଥ ପୁରୀ, ପ୍ରଦୀପ ସାହୁ, ରତ୍ନାକର ଶତପଥି, ଶାନ୍ତନୁ ସରାଫ, ମନୋଜ ସାହୁ, ପ୍ରେମସାଗର ପ୍ରଧାନ, ଚଣ୍ଡୀପ୍ରସାଦ ଭୋଇ, ଭ୍ରମର ପ୍ରଧାନ ଉଦବୋଧନ ଦେଇଥିଲେ । କୋଷାଧ୍ୟକ୍ଷ ବିରକିଶୋର ସାହୁ, ମମତା ମିଶ୍ର, ରଞ୍ଜୁଳି ଦେଇ, ସଂଯୁକ୍ତା ରଥ, ପ୍ରଭାତୀ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଦାବୀ ପତ୍ର ପ୍ରଦାନ ସମୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଏବିଇଓ ଜୟକୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଅଧିକାରୀ ଉକ୍ତ ଦାବିଗୁଡିକୁ ଉପରିସ୍ଥ ଅଧିକାରୀଙ୍କ ନିମନ୍ତେ ପ୍ରେରଣ କରିବାକୁ ପ୍ରତିଶୃତି ଦେଇଥିଲେ ।

Prev Post