
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଶାସନ ଏ ପର୍ଯ୍ୟନ୍ତ ନିଜ କଥା ରଖିନାହିଁ । ଆମ ଜାଗାରେ ବଲାଙ୍ଗିର ମେଡ଼ିକାଲ୍ କଲେଜ୍ର ଗେଟ୍ ନିର୍ମିତ ହୋଇଛି । ଏଇ ଜାଗା ବଦଳରେ ଆମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଲଗା ଜାଗା ଦିଆଯାଇଛି ସତ, ଅଥଚ ଏ ପର୍ଯ୍ୟନ୍ତ ସେହି ଜାଗାର ପଟ୍ଟାପାର୍ଚ୍ଚା ଆମକୁ ମିଳି ପାରିନାହିଁ । ଏପରିକି ଅନ୍ଲାଇନ୍ରେ ସେ ଜାଗାର ସ୍ଥିତି ଦେଖିଲେ ବି ତାହା ଆମ ନାମରେ ପ୍ରଦର୍ଶିତ ହେଉନାହିଁ । ଏଭଳି ଏକ ଅଭିଯୋଗ ନେଇ ଆଜି ରଶ୍ମି ଦାସ ନାମ୍ନୀ ଜଣେ ମହିଳା ନିଜ ପରିବାରବର୍ଗଙ୍କ ସହ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ଆସନ୍ତା ୩ ତାରିଖ ଦିନ ବଲାଙ୍ଗିର ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ର ରୋଗୀଙ୍କ ପାଇଁ ନିର୍ମିତ ବିଲଡ଼ିଂ ଉଦ୍ଘାଟିତ ହେବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ ଏପର୍ଯ୍ୟନ୍ତ ବଲାଙ୍ଗିର ମେଡ଼ିକାଲ୍ କଲେଜ୍ର ଗେଟ୍ ନିର୍ମିତ ହୋଇଥିବା ସ୍ଥାନ ବଦଳରେ ହିତାଧିକାରୀଙ୍କୁ ଆଇନତଃ ଜାଗା ପ୍ରଦାନ କରାଯାଇନାହିଁ । ଯଦି ୩ ତାରିଖ ପୂର୍ବରୁ ଆମକୁ ମିଳିଥିବା ସ୍ଥାନର ପଟ୍ଟାପାର୍ଚ୍ଚା ନ ମିଳେ, ତେବେ ସେଦିନ ଉଦ୍ଘାଟନ ସମୟରେ ଆମେ ଆନ୍ଦୋଳନରେ ବସିବୁ ବୋଲି ରଶ୍ମି ଦାସ ପ୍ରକାଶ କରିଛନ୍ତି ।