jayashree

ତିନି ଦଫା ଦାବୀ ପୂରଣ ନେଇ ପାଇକମାଲ ଓ ଝାରବନ୍ଧ ଶିକ୍ଷକଙ୍କ ଗଣଧାରଣାରେ ଦ୍ଵିତୀୟ ଦିନ : ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ କଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପ୍ରତିକୂଳ ପାଗରେ ପାଇକମାଲ ଓ ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକମାନେ ତିନି ଦଫା ଦାବୀରେ ସାମୁହିକ ଛୁଟିରେ ରହି ଦ୍ଵିତୀୟ ଦିନ ପାଇକମାଲ ଓ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ପାଇକମାଲ ଓ ଝାରବନ୍ଧ ଏହି ଧାରଣା ସ୍ଥଳରେ ପୂର୍ବତନ ବିଧାୟକ ପଦ୍ମପୁର ପ୍ରଦୀପ ପୁରୋହିତ ପହଞ୍ଚି ଶିକ୍ଷକଙ୍କ ନ୍ୟାୟୋଚିତ ଦାବୀ ପୂରଣ ହେବା ଉଚିତ୍‌ ବୋଲି ସମର୍ଥନ ଜଣାଇଥିଲେ । ଏହି ଅବସରରେ ପୂର୍ବତନ ବିଧାୟକଙ୍କୁ ସଂଘ ତରଫରୁ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ପୁରୁଣା ପେନ୍‌ସନ୍‌ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ଏହି ଦାବୀ ଯଥୋଚିତ ବୋଲି ପୂର୍ବତନ ବିଧାୟକ କହିଥିଲେ । ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ, ଏକ୍ସ କ୍ୟାଡର, କନିଷ୍ଠ ଶିକ୍ଷକ, କଳା ଓ କ୍ରୀଡା ପ୍ରାଥମିକ ଶିକ୍ଷକମାନେ ଧାରଣାରେ ସାମିଲ ହୋଇଥିବାରୁ ପାଇକମାଲ ବ୍ଲକ ଓ ଝାରବନ୍ଧ ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇ ପାଠପଢ଼ା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଧାରଣା ସ୍ଥଳକୁ ଓଷ୍ଟା ଜିଲ୍ଲା ସଭାପତି ନନ୍ଦକୁମାର ନାୟକ ଯୋଗଦେଇ ସମର୍ଥନ ଜଣାଇବା ସହ ଉଚ୍ଚ ବିଦ୍ୟାଳୟରୁ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍‌ ହୋଇଥିବା ଶିକ୍ଷକଙ୍କୁ ଓଷ୍ଟା ତରଫରୁ ବାରଣ କରାଯିବ ବୋଲି କହିଥିଲେ । ପାଇକମାଲ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ ସମ୍ପାଦକ ଚକ୍ରଧର ଅଜଗର, କୋଷାଧ୍ୟକ୍ଷ ରଞ୍ଜନ ବାଗ, ଉପସଭାପତି ବୈଷ୍ଣବ ପଣ୍ଡା ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ଲମ୍ବୋଦର ଦାସ, ସଂଘ ନୀଳ ମହାନନ୍ଦ, ବ୍ଳକ କନିଷ୍ଠ ଶିକ୍ଷକ ସଂଘରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ସାମିଲ ହୋଇଛନ୍ତି । ଶିକ୍ଷକଙ୍କ ଗଣଧାରଣା ଯୋଗୁଁ ପାଇକମାଲ ଓ ଝାରବନ୍ଧ ବ୍ଳକରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଅଭିଭାବକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସରକାର ତୁରନ୍ତ ଶିକ୍ଷକମାନଙ୍କ ତିନି ଦଫା ଦାବୀ ପୂରଣ କରି ଶିକ୍ଷାଦାନ ସ୍ୱାଭାବିକ କରନ୍ତୁ ନଚେତ ଅଭିଭାବକ ସଂଘ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.