ଛତ୍ରପୁରକୁ ସଂଯୋଗ କରିଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥର ସର୍ବବିଧ ଉନ୍ନତିକରଣ କରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଛତ୍ରପୁର ଡ଼ିଆରଡ଼ିଏ ଛକ ଠାରୁ ବାଟ-ଛତ୍ରପୁରରୁ ବାହାରି ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥର ସର୍ବବିଧ ଉନ୍ନତିକରଣ କରିବାକୁ ଜନସାଧାରଣରେ ଦାବୀ ହୋଇଛି । ଯେହେତୁ ଏହା ଗଞ୍ଜାମ ଜିଲ୍ଲା ମହକୁମା ଏବଂ ଦକ୍ଷିଣ ଓଡ଼ିଶାର ବୃହତ୍ତମ ସରକାରୀ ସ୍ୱୀକୃତ ଶିଳ୍ପାଞ୍ଚଳ ହୋଇଥିବା ହେତୁ ଏହି ଅଞ୍ଚଳଗୁଡ଼ିକୁ ସଂଯୋଗ କରିଥିବା ଜାତୀୟ ରାଜପଥ ଅବା ବାଇପାସ୍‌ର ପୁନଃନିର୍ମାଣ କରାଯାଇ ଏହାର ପ୍ରଶସ୍ତିକରଣ ସାଂଗକୁ ଅଣ୍ଡରପାସ, ଜନସାଧାରଣଙ୍କ ଚଲାପଥକୁ ସୁଗମ ଖୁବ୍‌ ସୁବିଧାରେ ଉପଲବ୍ଧ ହେବା ଭଳି ନିର୍ମାଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଛତ୍ରପୁର ସହରରେ ବ୍ରିଟିଶ ଅମଳରୁ ଗଢ଼ିଉଠିଥିବା ସଦର ଦପ୍ତରାଞ୍ଚଳକୁ ପ୍ରବେଶପଥ ସୁଗମ କରିବା ସହ ସୁବିଧା ଦୃଷ୍ଟିରୁ ଫ୍ଲାଇ ଓଭର ବ୍ରିଜ୍‌ର ନିର୍ମାଣ ମାଷ୍ଟରପ୍ଲାନ କରାଯାଇ ଜନତାଙ୍କ ହିତସାଧନ ହେବା ଭଳି ବାଇପାସ୍‌ ନିର୍ମାଣ ହେବାକୁ ଏଠାକାର ଜନସାଧାରଣ ଦାବୀ କରିଛନ୍ତି ।

ଏ ସମ୍ପର୍କରେ ଛତ୍ରପୁର ପବ୍ଲିକ ସ୍କୁଲ ପରିସର ସ୍ଥିତ କମ୍ୟୁନିଟି ହଲ୍‌ରେ ରବିବାର ସନ୍ଧ୍ୟାରେ ଛତ୍ରପୁର ନାଗରିକ କମିଟିଙ୍କ ସମେତ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସହରର ବହୁବିଧ ଉନ୍ନତି ଉପରେ ଆଲୋଚନା କରିଥିଲେ । ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ରୋଟାରୀୟାନ ପ୍ରଫୁଲ ପଟ୍ଟନାୟକ ଆବାହକ ଭାବେ ଏହି ବୈଠକ ଆଗତ କରିଥିଲେ । ବୈଠକରେ ଛତ୍ରପୁର ସହରକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସଠିକ୍‌ ଭାବେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ନିର୍ମାଣ କରାଯିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଗଞ୍ଜାମ ଜିଲ୍ଲା ସହ ସଂଯୋଗ କରୁଥିବା ପୁରୀ ଜିଲ୍ଲାର ପାରିକୁଦ, ମାଲୁଦ ଦେଇ ପୁରୀ ସହରକୁ ବାଇପାସ୍‌ ସଂଯୋଗୀକରଣ ପ୍ରସ୍ତାବ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଦାବୀ ହୋଇଛି । ଉକ୍ତ ଲୁଣାହ୍ରଦ ଅଞ୍ଚଳ ଉପରେ ବସବାସ କରୁଥିବା କୃଷିଜୀବୀ, ମତ୍ସ୍ୟଜୀବୀ ତଥା ଲକ୍ଷାଧିକ ଜନସାଧାରଣ ଏହି ଉପକୂଳ ଜାତୀୟ ସଡ଼କପଥ ଯୋଜନାରେ ବିଶେଷ ଉପକୃତ ହେବେ । ଏପରିକି ଗଞ୍ଜାମ ଜିଲ୍ଲାର ପାଲୁରୁ, ପ୍ରୟାଗୀ, ପରେ ପୁରୀ ଜିଲ୍ଲାର ପାଇକରାୟପୁରରୁ ପାରିକୁଦ ଓ ମାଲୁଦ ହୋଇ ବ୍ରହ୍ମଗିରି ଓ ପୁରୀ ସହର ପର୍ଯ୍ୟନ୍ତ ଅଞ୍ଚଳର ବାସିନ୍ଦାଙ୍କ ନିମିତ୍ତ ଉଦ୍ଦିଷ୍ଟ ଅଞ୍ଚଳକୁ ଗମାନାଗମନ ସୁବିଧା ହେଲେ ସେମାନଙ୍କର ଆର୍ଥିକ ମାନଦଣ୍ଡ ଖୁବ୍‌ ଉନ୍ନତି ସାଧିତ ହେବ । ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ବାଣିଜ୍ୟ ଓ ରାଜାନୈତିକ, ସାମାଜିକ କ୍ଷେତ୍ରରେ ବିଶେଷ ଉନ୍ନତି ସାଧିତ ହେବ ବୋଲି କୁହାଯାଇଛି । ଏନେଇ ଜାତୀୟ ରାଜପଥ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଛତ୍ରପୁର ବାର ସଭାପତି ପ୍ରଦୀପ କୁମାର ପାଢ଼ୀ, ଡ଼. ରାଜେନ୍ଦ୍ର ପ୍ରସାଦ ଦାସ, ଅରୁଣ କୁମାର ଶତପଥୀ, ନାଗରିକ କମିଟିର ସମ୍ପାଦକ ସୁଧୀର ସାହୁ, କେ. ସତ୍ୟନାରାୟଣ ରେଡ୍ଡୀ, ସାମ୍ବାଦିକ ରବୀନ୍ଦ୍ରନାଥ ପଣ୍ଡା, ଅଶୋକ ରଥ, ଶ୍ରୀକାନ୍ତ ମହାନ୍ତି, ଶିକ୍ଷାବିତ୍‌ ପୀତବାସ ପାଣିଗ୍ରାହୀ, ଲାଚ୍ଛାନା ରାଓ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ଏହି ଉନ୍ନୟନମୂଳକ କାର୍ଯ୍ୟ ଉପରେ ବିବିଧ ମତ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.