oum

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡେଭଲପ୍‌ମେଣ୍ଟ ଫୋରମ୍‌ର ଦାବୀ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗ୍ରୀନ୍‌ ଫିଲ୍‌ଡ ସିଭିଲିଏନ୍‌ ଏଣ୍ଡ କାର୍‌ଗୋ ବିମାନ ବନ୍ଦର ପ୍ରତିଷ୍ଠାକୁ ଜୋରଦାର କରିବା ପାଇଁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ୍‌ର କାର୍ଯ୍ୟକର୍ତ୍ତାଙ୍କ ଛଡା ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶା ମୁଖ୍ୟ ଶାସନ ସଚିବ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଥାଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମିଡ଼ିଆକୁ ସୂଚନା ଦେଇଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କିଛି ନ କହିବା ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ଓ ଫୋରମ୍‌ର ସଦସ୍ୟ ମାନେ ତାହାର ଦୃଢ଼ ନିନ୍ଦା କରିଥିଲେ । ଅତିଶୀଘ୍ର ବ୍ରହ୍ମପୁର ପାଖରେ ୧୫୦୦ ଏକର ଜମି ନେଇ ବ୍ରହ୍ମପୁର ଗ୍ରୀନ୍‌ ଫିଲ୍‌ଡ ସିଭିଲିଏନ୍‌ ଏଣ୍ଡ କାର୍‌ଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତାମାନେ ମତବ୍ୟକ୍ତ କହିଥିଲେ । ଉଲ୍ଲେଖନୀୟ, ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଡେଭଲପ୍‌ମେଣ୍ଟ ଫୋରମ୍ ଓ ଶତାଧିକ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୂକୁଲ୍ୟରେ ବ୍ରହ୍ମପୁରଠାରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟରେ ଦାବୀପତ୍ର ଦେଇ ଆମ ନ୍ୟାର୍ଯ୍ୟ ଦାବୀ ପୂରଣ କରିବାକୁ ବାରମ୍ବାର ଦାବୀ କରାଯାଇଛି । କିନ୍ତୁ କିଛି ଦିନ ତଳେ ରାଜ୍ୟ ପରିବହନ ମନ୍ତ୍ରୀଙ୍କ “ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କାମ ସରି ଯାଇଥିବା ଓ ୧୦ ସିଟ୍‌ର ବିମାନ ବିଶାଖାପାଟଣା ଓ ଭୁବନେଶ୍ୱରକୁ ଉଡ଼ିବା” ମନ୍ତବ୍ୟ ସମଗ୍ର ଜିଲ୍ଲାକୁ ଆଚମ୍ବିତ ଓ ନିରାଶ କରିଛି । ରାଜ୍ୟ ସରକାର ବ୍ରହ୍ମପୁରଠାରେ ‘ଖେଳନା’ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବାରମ୍ବାର କହି ଲଲିପପ୍‌ କାହିଁକି ଦେଉଛନ୍ତି ତାହା ଜଣାପଡୁ ନାହିଁ । ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀ ମହୋଦୟ, ୨୦୧୬ରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପାଇଁ ଭୂମିପୂଜନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ମୁଠା ବାଲି ସେଇଠି ପଡିନି । ୨୦୦୮ରେ ବିଶାଖାପାଟଣା ଓ ଭୁବନେଶ୍ୱରକୁ ସଂଯୋଗର ଚେଷ୍ଟା ହୋଇ ସାରିଛି ଓ କିଛିଦିନ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବିମାନ ଚାଲିଥିଲା ଓ ତାହା ପ୍ରତିବନ୍ଧକ ହୋଇ ରହିଲା । କାରଣ, ଯେଉଁ ସହରରେ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପ୍ରବାସୀ ରହୁଛନ୍ତି (ଯେମିତି ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, କଲିକତା, ପୁନେ, ସୁରତ, ଦିଲ୍ଲୀ ପ୍ରଭୂତି ମେଟ୍ରୋ ସିଟି, ବଡ ସହର) ସେହି ସହର ସହ ବ୍ରହ୍ମପୁରରୁ ପ୍ରତିଦିନିଆ ବିମାନ ସେବା ଦରକାର, ଭୁବନେଶ୍ଵର ଓ ବିଶାଖାପାଟଣାକୁ ନୁହଁ ଏହା ଓଡିଶା ସରକାର ହୃଦୟଙ୍ଗମ କାହିଁକି କରିପାରୁ ନାହାନ୍ତି ତାହା ଏକ ଘୋର ଉଦ୍‌ବେଗର ବିଷୟ ହୋଇଛି । ତେଣୁ ଆଜିର ଜନ ସଚେତନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରରୁ ଅନ୍ୟ ବଡ ସହର ସହ ବିମାନ ସେବା ଆରମ୍ଭ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରଖିବାକୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ ଚେତାବନୀ ଦେଇଛି । ଗଂଜାମ ଜିଲ୍ଲାବାସୀଙ୍କ ଭାବନା ସହ ନ ଖେଳିବାକୁ ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଫୋରମ୍‌ର ଅନେକ ସଂଘର୍ଷ ପରେ ସରକାର ବ୍ରହ୍ମପୁରରେ ରିଙ୍ଗ୍‌ରୋଡ୍‌ କାମ ଆରମ୍ଭ କରିବା ଓ ଶୀତଳାପଲ୍ଲୀ ରେଳଡବା କାରଖାନାକୁ ସବୁଜ ସଙ୍କେତ ଦେବା ଆମର ଓ ଜନ ସାଧାରଣଙ୍କ ସଫଳତା ବୋଲି ବକ୍ତାମାନେ ମତବ୍ୟକ୍ତ କହିବା ସହ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମ୍‌ର ଉପସଭାପତି ଶ୍ରୀମତି ବବିତା ପାତ୍ର, ସେକ୍ରେଟାରୀ ସ୍ଵରାଜ୍ୟ ସାହୁ, ବରିଷ୍ଟ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ବନମାଳୀ ଅଜୟ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ମଧୁସୂଦନ ସାହୁ, ଦିଲିପ୍, ଶ୍ରୀନୁ, ମଣ୍ଟୁଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.