କାଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : ସମର୍ଥନ ଜଣାଇ ବଙ୍ଗୋମୁଣ୍ଡା ବ୍ଲକର ସମସ୍ଥ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ଶନିବାର ବନ୍ଦ ଡାକରା
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଘୋଷଣା କରିବା ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନ ସଭାର ପ୍ରଶ୍ନକାଳରେ ଉପସ୍ଥାପନ ପରେ ଅଂଚଳର ଜନସାଧାରଣଙ୍କ ଦୀର୍ଘ ଦିନର ଦାବୀ ଆଶା ଉଜ୍ଜିବିତ ହୋଇଛି । ଏପରିକି ବିଧାୟକ ସାଲୁଜାଙ୍କ ଆହ୍ୱାନକ୍ରମେ ବଙ୍ଗୋମୁଣ୍ଡା ବ୍ଲକର ଉପାଧ୍ୟକ୍ଷ କେଶବ ନାରାୟଣ ଜୈନଙ୍କ ନେତୃତ୍ୱରେ ବ୍ଲକର ୨୨ ଗୋଟି ପଂଚାୟତର ସରପଂଚ, ସମିତି ସଭ୍ୟା/ସଭ୍ୟ, ୨ ଗୋଟି ଜିଲ୍ଲା ପରିଷଦ ଏବଂ ସାମାଜିକ ଅନୁଷ୍ଠାନ, ବଙ୍ଗୋମୁଣ୍ଡା ବ୍ୟବସାୟିକ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ବୈଠକ ହୋଇ ଜିଲ୍ଲା ଦାବୀକୁ ସମର୍ଥନ କରିଛନ୍ତି । ଏପରିକି କଂଟାବାଂଜି ଜିଲ୍ଲା ଦାବୀ ନେଇ ଆସନ୍ତା ଶନିବାର ଦିନ ସମଗ୍ର ବଙ୍ଗୋମୁଣ୍ଡା ସହର ଏବଂ ଆଖପାଖ ଅଂଚଳ ୧୨ ଘଂଟିଆ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ତଥା କଂଟାବାଂଜି ଏନ୍.ଏ.ସି.କୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଦୀର୍ଘ ଦିନରୁ ଦାବୀ ହେଇ ଆସୁଛି । ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା କଂଟାବାଂଜି ଏକ ସ୍ୱତନ୍ତ୍ର ଜିଲ୍ଲା ହେବାର ସମସ୍ତ ଭିତ୍ତିଭୂମି ରହିଛି । ଓଡିଶା ସରକାର ୧୯୯୫ ମସିହାପରେ ନୂତନ ଭାବେ କୌଣସି ଜିଲ୍ଲା ଗଠନ କରି ନାହାନ୍ତି । ତେଣୁ ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ଅନ୍ୟାନ୍ୟ ଜିଲ୍ଲା ତୁଲନାରେ କଂଟାବାଂଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ରାଜ୍ୟ ରାଜକୋଷକୁ ଅନ୍ୟାନ୍ୟ ଛୋଟ ଛୋଟ ଜିଲ୍ଲାଠାରୁ ଅଧିକରୁ ଅଧିକ ରାଜସ୍ୱ ଦେଉଛି ଫଳରେ ଜିଲ୍ଲା ହେବାର ସମସ୍ତ ଯୋଗ୍ୟତା ରହିଥିବା ବିଧାନସଭାରେ ଉପସ୍ଥାପନ କରିଥିଲେ । ଏହି ଦାବୀକୁ କଂଟାବାଂଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ ଗୋଟି ବ୍ଲକ ବିଧାୟକ ସାଲୁଜାଙ୍କ ଦାବୀରେ ସମର୍ଥନ କରି ପ୍ରଥମ ପର୍ଯ୍ୟାୟରେ ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସମସ୍ତ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି ।