ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବୀ କଲା ଏଚ୍‌ଏମଏସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ପ୍ରାୟ ଅଢେ଼ଇ ଲକ୍ଷ କମଚାରୀଙ୍କୁ ମୋ-ସରକାର ଅଧୀନକୁ ନିଆଯାଇଥିବାରୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯିବା ସହ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୨୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି । ଏ ସମ୍ପର୍କରେ ଏକ ବୈଠକ ସ୍ଥାନୀୟ ନବୀନ ଭବନ ଠାରେ ରାଜ୍ୟ ଉପାଧ୍ୟକ୍ଷ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଉଟସୋର୍ସିଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତତଃ ଏହି ଘଟଣା ପରେ କର୍ମଚାରୀମାନେ ସୁରକ୍ଷିତ ହୋଇପାରିବେ ଏବଂ ସର୍ଭିସ ପ୍ରୋଭାଇଡିଂ ସଂସ୍ଥାମାନେ ମନମାନି କାର୍ଯ୍ୟ କରିପାରିବେ ନାହିଁ । ଯେଉଁସବୁ ପୂର୍ବରୁ ସମସ୍ୟା ଦେଖା ଦେଇଥିଲା ଯଥା ଦରମା ପ୍ରଦାନ, ଇଏସଆଇ, ଇପିଏଫ ନିର୍ଦ୍ଧାରିତ ସମୟରେ ପୈଠ ହୋଇପାରୁ ନଥିଲା । ଏହାଫଳରେ ଏହି ସମସ୍ୟା ଦୂର ହୋଇପାରିବ ଏବଂ ସମ୍ପୃକ୍ତ ପ୍ରୋଭାଇଡର ସଂସ୍ଥା ନିର୍ଦ୍ଧିଷ୍ଟ ନୀତି ନିୟମ ପ୍ରକାରେ କାର୍ଯ୍ୟ କରିବେ । ଇତିମଧ୍ୟରେ ରାଜ୍ୟ ସରକାର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଖର୍ଚ୍ଚ କାଟ ଓ ନିଯୁକ୍ତି ସଂକୋଚନ ନୀତିରେ ସରକାରୀ ଦପ୍ତରରେ ଲକ୍ଷାଧିକ ପଦବୀ ଉଚ୍ଛେଦ ହୋଇଥିବା ବେଳେ ପ୍ରାୟ ଅଢେ଼ଇ ଲକ୍ଷ ପଦବୀ ଖାଲି ରହିଛି ଏବଂ ଜଣେ ଠିକା ଶ୍ରମିକ ନିଯୁକ୍ତି ଆଇନ ୧୯୭୧ ଦଶ ଧାରା ଅନୁଯାୟୀ ୧୨ ମାସରୁ ଅଧିକ ସମୟ ଠିକା କର୍ମଚାରୀ ଭାବେ ନିଯୁକ୍ତି କରିବା ବେଆଇନ ଅଟେ । ତାହା ସତ୍ତେ୍ୱ ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ ଉପରେ ନିର୍ଭର କରାଯାଉଛି । ବିଶେଷକରି ଶିକ୍ଷା ବିଭାଗ, ପୌର ସଂସ୍ଥା, ଡ଼ାକ୍ତରଖାନା, ବିଦ୍ୟୁତ, ଗ୍ରାମ ପରିମଳ ଇତ୍ୟାଦି ବିଭାଗରେ ଏହି କର୍ମଚାରୀମାନେ କାର୍ଯ୍ୟ କରନ୍ତି । ସମ୍ପୃକ୍ତ କର୍ମଚାରୀମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ଦିଆଯାଇଥାଏ । ଏହି ଅର୍ଥରେ ୧୮ ପ୍ରତିଶତ ଜିଏସଟି ମଧ୍ୟ କଟାଯାଏ । ଉକ୍ତ ଦରମାରେ ପରିବାର ପ୍ରତିପୋଷଣ କରିବାରେ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏକ ଜନକଲ୍ୟାଣ ରାଜ୍ୟର ସରକାର ଉକ୍ତ କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ ନୀତିରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛ । ଏହି ବୈଠକରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ, ଲାଲୁ ମୋହନ ବେହେରା, ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଟୁନା ଜେନା, ସନ୍ତୋଷ କୁମାର ପଣ୍ଡିତ, ସୀମାଞ୍ଚଳ ସେଠୀ, ମେହେନ୍ତର ସଂଘ ନେତା ମନୋରଞ୍ଜନ ଲିମାଇ, ଜିଇଡି କର୍ମଚାରୀ, ପରିବହନ କର୍ମଚାରୀ ଓ ଜଳଯୋଗାଣ କର୍ମଚାରୀ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.