ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ପାଇଁ ବିଡିଓଙ୍କୁ ଦାବୀ କଲା ଖଟିଖିଆ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକଙ୍କ ହକ୍ ଅଧିକାର ପାଇଁ ଲଢେଇ କରି ଆସୁଥିବା ଖଟିଖିଆ ସଂଗଠନ ଆଜି ଝାରବନ୍ଧ ବିଡିଓ ଲୋକନାଥ ସବରଙ୍କୁ ଭେଟି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ ସଂଗଠନର ଆବାହକ ଭୋଜରାଜ ବାଗଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଝାରବନ୍ଧ ବ୍ଲକରେ ବହୁ ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଂଚିତ ଅଛନ୍ତି । ପ୍ରକୃତ ହିତାଧିକାରୀଙ୍କ ନାମ ବାରମ୍ବାର କର୍ତନ କରାଯାଇଅଛି । ଅନେକ ଲୋକ ବାପ, ପୁଅ, ସ୍ତ୍ରୀଙ୍କ ନାମରେ ମାତ୍ରାଧିକ ଘର ହାତେଇ ନେଇଥିବା ବେଳେ ଉପଯୁକ୍ତ ଗରିବ ହିତାଧିକାରୀ ଘରଟିଏ ପାଇ ପାରି ନାହିଁ, ବହୁ ମାଟି ଓ ଖପର ଘର ବ୍ଲକରେ ଅଛି, ଯାହା ଅତି ଦୁଃଖ ଦାୟକ ଅଟେ । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ୨୦୨୨ ସୁଦ୍ଧା ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବାକୁ ପ୍ରତିଶୃତି ଦେଇଛନ୍ତି ଏବଂ ସେହି କ୍ରମରେ ଦେବା କଥା, କିନ୍ତୁ କିଛି ଅସାଧୁ କର୍ମଚାରୀ ଓ ରାଜ ନେତାଙ୍କ ଇଚ୍ଛା ଶକ୍ତିର ଅଭାବ ହେତୁ ଗରିବ ଲୋକମାନେ ଘର ପାଇବାରେ ବଂଚିତ ଅଛନ୍ତି । ସଂଗଠନ ବିନମ୍ର ପ୍ରାର୍ଥନା କରିଛି ଯେ, ପ୍ରତ୍ୟେକ ଘରକୁ ଯାଇ ଦକ୍ଷ ଅଧିକାରୀମାନେ ଓ ସରପଞ୍ଚ ୱାର୍ଡ ମେମ୍ବର ଗାଁ ଲୋକ ସ୍ୱେଚ୍ଛାସେବୀ ନିରପେକ୍ଷ ଭାବେ ତଦନ୍ତ କରି ବଂଚିତ ଥିବା ଗରିବ ଲୋକଙ୍କ ଏକ ସର୍ଭେ କରାଯାଇ ଘର ଯୋଗାଇ ଦିଆଯାଉ । ବର୍ତ୍ତମାନ ଯେଉଁ ଲିଷ୍ଟ ଗ୍ରାମ ପଞ୍ଚାୟତକୁ ପଠାଯାଇଛି ତାହା ବହୁ ମାତ୍ରାରେ ଭୁଲ ଅଛି । ଏଥି ଯୋଗୁଁ ଉପଯୁକ୍ତ ହିତାଧିକାରୀ ପୁନର୍ବାର ବଂଚିତ ହେବେ । ସଂଗଠନର ଦାବୀକୁ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ହେବେ ଅନ୍ୟଥା ଜନ ଆକ୍ରୋଶ ବଢ଼ିବ ଓ ବାଧ୍ୟ ହୋଇ ଆମ୍ଭେ ରାଜ ରାସ୍ତା ତଥା ବ୍ଲକ କାର୍ଯ୍ୟାଳୟରେ ଘେରାଉ ଓ ଧାରଣା ଦେବୁ ବୋଲି ସଂଗଠନ ଚେତାବନୀ ଦେଇଛି । ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବସନ୍ତ ସାହୁ, ସୁରେନ୍ଦ୍ର ଭୋଇ, ରାମେଶ୍ୱର ସାହୁ, ନାଥୁରାମ ସିଦାର, ହେମରାଜ ସିଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!