jayashree

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇଥିବା ଖପ୍ରାଖୋଲ ରେଂଜରଙ୍କୁ ଗିରଫ ଦାବୀରେ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ତରଫରୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇଥିବା ଖପ୍ରାଖୋଲ ରେଂଜର ଶ୍ରୀବତ୍ସ କୁମୁରାଙ୍କୁ ଗିରଫ ଦାବୀ ତଥା ସାମ୍ବାଦିକଙ୍କ ଉପରେ ହୋଇଥିବା ମିଥ୍ୟା କେଶ ପ୍ରତ୍ୟାହାର ଦାବୀରେ ଆଜି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ତରଫରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୦୨ ତାରିଖରେ ପାଟଣାଗଡ ପ୍ରତିନିଧି ଅଜିତ ପୁରୋହିତ, ଦୀପକ ଖମାରୀ ଓ ବିଜୟାନନ୍ଦ ଦାଶ ଏକ ଦୁର୍ନୀତି ମାମଲାରେ ଖପ୍ରାଖୋଲ ରେଂଜରଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେତେବେଳେ ଏ ବିଷୟରେ ଲଗାତାର ଖବର ପ୍ରସାରଣ ଯୋଗୁଁ ରାଗରେ ଥିବା ଖପ୍ରାଖୋଲ ରେଂଜର ଶ୍ରୀବତ୍ସ କୁମୁରା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୁଲମ୍‌ଖୁଲ୍ଲା ହତ୍ୟା ଧମକ ଦେଇଥିଲେ । ଏହାକୁ ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହି ଘଟଣା ପରେ ରେଂଜର ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମିଥ୍ୟା ଏଟ୍ରୋସିଟି ମାମଲା ଲଗାଇ ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୀନ ଉଦ୍ୟମ କରିଛନ୍ତି । ଏହାକୁ ନେଇ ଆଜି ପେସାଦାର ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସଭାପତି ଆନଂଦ ଚଂଦ୍ର ସାହୁଙ୍କ ନେତୃତ୍ଵରେ ପାଟଣାଗଡ ଏସଡିପିଓଙ୍କୁ ୩ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି । ଏ ଘଟଣାରେ ପୋଲିସ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପକ୍ଷରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୀନ ଚକ୍ରାନ୍ତ ସୁସ୍ଥ ସମାଜ ଗଠନ ପ୍ରତି ବିପଦ ବୋଲି କହିବା ସହ ଉଚିତ୍ ତଦନ୍ତ ସହ ଦାବୀ ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଧମକ ଦେଇଛନ୍ତି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ଶ୍ରୀ ସାହୁ । ଦାବୀପତ୍ର ପ୍ରଦାନ ସମୟରେ ସଂଘର ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ, ଉପସଭାପତି ଅଶ୍ୱିନୀ କୁମାର ନାଏକ, ଉପସଭାପତି ଅଶୋକ ନାରାୟଣ ଭୋଇ, ଯୁଗ୍ମ ସଂପାଦକ ଦେବରାଜ ନାହାକଙ୍କ ସହ ସାଂବାଦିକ ତଥା ସଂଘର ସଦସ୍ୟ ଶ୍ୟାମସୁନ୍ଦର ମେହେର, ଶ୍ୟାମପ୍ରସାଦ ଗୁରୁ, ବିଜୟାନନ୍ଦ ଦାଶ, ଲଳିତ ମଲ୍ଲିକ, ରାଜେଶ କୁମାର ଚାନ୍ଦ, ଅଜିତ କୁମାର ମିଶ୍ର, ଅଜିତ କୁମାର ସାହୁ, ବିରଂଚି କୁମାର ନାୟକ, ଅନ୍ତର୍ଯ୍ୟାମୀ ସାହୁ, ରାଧେଶ୍ୟାମ ମେହେର, ପ୍ରଶାନ୍ତ କୁମାର ମେହେର, ସୁଧାକର ଦାଶ, ଦୀପକ ଖମାରୀ, ଅଜିତ କୁମାର ପୁରୋହିତ, ଅନ୍ତିମ କୁମାର ପାଣିଗ୍ରାହୀ, କୈଳାଶ ସଗ୍ରିଆ, ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, ଶୁକଦେବ ମହାନ୍ତି, ବିମଳ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.