jayashree

ଭୀମ ଭୋଇ ମେଡିକାଲରେ ୧୦୦ ଓ କିସ୍‌ରେ ୫୦ ଆଇସିୟୁ ଶଯ୍ୟା ପାଇଁ ଦାବୀ ରଖିଲେ ନରସିଂହ

  • ସ୍ଥିତି ବିଗିଡିବା ପୁର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପୂରଣ କରନ୍ତୁ ସରକାର
  • ସୁପର ସ୍ପେସିଆଲିଟି ହସପିଟାଲ ପାଇଁ ଅଚ୍ୟୁତ ସାମନ୍ତ ସହ କଲେ ଅଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତକୁ ଯଦି ବିଶ୍ୱାସ କରାଯାଏ, ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ କରୋନା ତାର ଆହୁରି ଭୟଙ୍କର ରୂପ ଦେଖାଇବ । ତେଣୁ ସ୍ଥିତି ବିଗିଡିବା ପୂର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ଭୀମ ଭୋଇ ମେଡିକାଲ କଲେଜରେ ଆଇସିୟୁ ଶଯ୍ୟା ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଉ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ସରକାରଙ୍କ ପାଖରେ ଦାବୀ ଜଣାଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଆଇସିୟୁ ଓ ଏଚଡିୟୁକୁ ମିଶାଇଲେ ମାତ୍ର ୨୦ ଶଯ୍ୟା ରହିଛି । ଆଉ ୩୦ଟି ଆଇସିୟୁ ଶଯ୍ୟା ପାଇଁ ସରଞ୍ଜାମ ପ୍ରସ୍ତୁତ ରହିଛି । ସବୁକୁ ମିଶାଇ ଭୀମ ଭୋଇ ମେଡିକାଲରେ ୪୦ଟି ଆଇସିୟୁ ଏବଂ ୧୦ଟି ଏଚ୍‌ଡିୟୁ ଶଯ୍ୟା କାର୍ଯ୍ୟକ୍ଷମ ହେବ । କିନ୍ତୁ ବର୍ତ୍ତମାନର କରୋନା ଭୟାବହତା ଓ ରୋଗୀ ସଂଖ୍ୟା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଅନ୍ତତଃ ଆହୁରି ଅଧିକ ୫୦ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବା ସହିତ ଭୀମ ଭୋଇ ମେଡିକାଲରେ ୧୦୦ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା ପାଇଁ ଶ୍ରୀ ମିଶ୍ର ସରକାରଙ୍କ ପାଖରେ ଦାବୀ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ମେଡିକାଲ କଲେଜରେ ଖାଲି ଥିବା ପଲୁମୁନାରି ମେଡିସିନ, ମେଡିସିନ ଏବଂ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ପଦବୀ ଶୀଘ୍ର ପୂରଣ କରାଯାଉ । ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ସମୟରେ ପଲୁମୁନାରି ମେଡିସିନ ବିଶେଷଜ୍ଞ ପଦ ଖାଲି ଥିବାରୁ କରୋନା ରୋଗୀମାନେ ଉଚିତ ଚିକିତ୍ସା ପାଇ ପାରୁନାହାନ୍ତି ବୋଲି ବିଧାୟକ ପ୍ରତିନିଧି ମିନିଷ ମିଶ୍ର ଜଣାଇଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଶୀଘ୍ର ଡାକ୍ତର ପଦବୀ ପୂରଣ କରିବା ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । କରୋନା ରୋଗୀମାନେ ଚିକିତ୍ସିତ ହେଉଥିବା ବଲାଙ୍ଗିର ସ୍ଥିତ କିସ୍‌ ହସପିଟାଲରେ ମଧ୍ୟ ୧୦ଟି ଆଇସିୟୁ ଶଯ୍ୟା ରହିଛି । ଏହାକୁ ମଧ୍ୟ ଯଥା ଶୀଘ୍ର ୫୦ଟି ଆଇସିୟୁ ଶଯ୍ୟା ପ୍ରତିଷ୍ଠା କରିବା ପାଇଁ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କ ସହ ବିଧାୟକ ଶ୍ରୀ ମିଶ୍ର ଅଲୋଚନା କରିଛନ୍ତି । କିସ୍‌ରେ ୫୦ ଆଇସିୟୁ ଶଯ୍ୟା ବ୍ୟବସ୍ଥା କରିବା ପାଇଁ ଏହା ପୁର୍ବରୁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଅଚ୍ୟୁତ ସାମନ୍ତଙ୍କ ସହ ଅଲୋଚନା କରିବା ସହ ଚିଠି କରିଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କରୋନା ବ୍ୟବସ୍ଥାକୁ ମଜବୁତ କରିବାରେ ଜିଲ୍ଲାପାଳଙ୍କ ଏହି ପ୍ରୟାସକୁ ବିଧାୟକ ଶ୍ରୀ ମିଶ୍ର ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ଭୀମ ଭୋଇ ମେଡ଼ିକାଲ କଲେଜରେ ପିଜି ବିଭାଗ ଖୋଲି ନଥିବାରୁ ବର୍ତ୍ତମାନ ସୁପର ସ୍ପେସିଆଲିଟି ବିଭାଗ ଖୋଲିବ ନାହିଁ ବୋଲି ସରକାର ଶ୍ରୀ ମିଶ୍ରଙ୍କୁ ବିଧାନସଭାରେ ଉତ୍ତର ଦେଇଥିଲେ ଏବଂ ସୁପର୍‌ ସ୍ପେସିଆଲିଟି ବିଭାଗ ଖୋଲିବାକୁ ହେଲେ ଆଇନରେ ସଂଶୋଧନର ଅବଶ୍ୟକତା ପଡିପାରେ ବୋଲି କହିଥିଲେ । ବଲାଙ୍ଗିରବାସୀଙ୍କୁ ଦରକାର ହେଉଥିବା ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇଁ ଏକ ସ୍ଥାୟୀ ହସପିଟାଲ ଖୋଲିବାକୁ କିସ୍‌ର ପ୍ରତିଷ୍ଟାତା ଅଚ୍ୟୁତ ସାମନ୍ତଙ୍କୁ ଅଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ତା’ ସହିତ ଯେତେ ଶୀଘ୍ର ହେବ ଆଇନରେ ସଂଶୋଧନ କରି କିମ୍ବା ନୂତନ ଆଇନ ଆଣି ବଲାଙ୍ଗିର ସମେତ ଯେଉଁ ମେଡିକାଲ କଲେଜରେ ଗୁଡ଼ିକରେ ସୁପର ସ୍ପେସିଆଲିଟି ଚିକିତ୍ସା ଆରମ୍ଭ ହୋଇନାହିଁ, ସେଠାରେ ଯଥା ଶୀଘ୍ର ଚିକିତ୍ସା ଉପକରଣ ଓ ଡାକ୍ତର ଯୋଗଇ ଦିଆଯାଉ ବୋଲି ଶ୍ରୀ ମିଶ୍ର ସରକାରଙ୍କ ସମ୍ମୁଖରେ ଦୃଢ ଦାବୀ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.