ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚ ସଂଘର ଦାବୀ ପତ୍ର

ଟିଟିଲାଗଡ , ( ଗୌରବ ଦର୍ଜୀ) : ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଆଜି ଟିଟିଲାଗଡ ଉପଖଣ୍ଡର ସରପଂଚ ସଂଘର ସଦସ୍ୟମାନେ ଟିଟିଲାଗଡ ତହସିଲଦାରଙ୍କ ବାଲି ଘାଟ ଉପରେ ଚଢ଼ାଉକୁ ନେଇ ଉପୁଜୁଥିବା ସାମାଜିକ ସମସ୍ୟା ଓ ତା’ ର ସମାଧାନ ପାଇଁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ସରପଞ୍ଚ ସଂଘର ସଭାପତି ତଥା ସିହିନୀ ପଞ୍ଚାୟତ ସରପଞ୍ଚ ବୀରବର ସାହୁ, ସରପଂଚ ସଂଘର ସମ୍ପାଦକ ହରି ନାରାୟଣ ମିଶ୍ର, ନାରେନ୍ ପଞ୍ଚାୟତର ସରପଂଚ ଦୟାରାମ ଅଗ୍ରୱାଲ, ମନିଗାଁ ସରପଞ୍ଚ ମୁନିରାମ ଖର୍ସେଲ, ଭାଲେଗାଁ ସରପଞ୍ଚ କ୍ରିଷ୍ଣ ବାଗ, ଆଦାବହାଲ ସରପଞ୍ଚ ତପସ୍ଵିନୀ ବଗର୍ତ୍ତୀ, କତରକେଲା ସରପଞ୍ଚ ମମତା ମହାନନ୍ଦ, ମହୁଳପଡ଼ା ସରପଞ୍ଚ ପ୍ରତିନିଧି ଡମ୍ବରୁଧର ବାଗ, କୁରଶୁଡ ସରପଂଚ ପ୍ରତିନିଧି ସଞ୍ଜୀବ ସାହୁ, ସିଲୁଆଁ ସରପଞ୍ଚ ଅନିତା କଟା, ଦିଗଶିରା ସରପଞ୍ଚ ଗୋଲକ ସିଂ ଭୋଇ, ବିନକେଲା ସରପଂଚ ହରି ମାଝି ଆଦି ଅଭିଯୋଗ ଆଣିଥିଲେ ଯେ, ତହସିଲଦାର ଟେଣ୍ଡର ଚାଲିଥିବା ବାଲିଘାଟ ଉପରେ ଚଢ଼ାଉ କରି ଟ୍ରାକ୍ଟର ମାନଙ୍କରୁ ଟିକସ ଆଦାୟ କରୁଛନ୍ତି । ଯାହା ଫଳରେ ଟ୍ରାକ୍ଟର ମାନେ ବାଲି ଆଣିବାକୁ ଯିବା ପାଇଁ ଭୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ଘର ପାଇଁ ବାଲି ନ ପାଇ ଘର ତିଆରି ରେ ବିଳମ୍ବ ହେବା ସହ ଅନେକ ସମସ୍ୟାକୁ ସମ୍ମୁଖୀନ କରୁଥିବା ସରପଞ୍ଚ ସଂଘ ଅଭିଯୋଗ କରିଛନ୍ତି । ଟ୍ରାକ୍ଟର ମାନଙ୍କ ଉପରେ ଲାଗୁଥିବା ଟିକସ ମଧ୍ୟ ଗ୍ରାହକମାନଙ୍କୁ ହିଁ ଦେବାକୁ ପଡୁଥିବାରୁ ବାଲି ଟ୍ରାକ୍ଟର ପିଛା ୭୦୦ ଟଙ୍କା ଥିବା ବେଳେ ସାଧାରଣ ନିରୀହ ଜନତାଙ୍କୁ ବେଳେ ବେଳେ ପ୍ରାୟ ୧୫୦୦ ଟଙ୍କା ପର୍ୟ୍ୟନ୍ତ ଦେବାକୁ ପଡୁଛି ବୋଲି କହିଛନ୍ତି ସରପଞ୍ଚ ସଂଘ । ଉପଜିଲ୍ଲାପାଳ ଟିଟିଲାଗଡ ବିଡ଼ିଓଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!