ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ଦାବିରେ ବୁଧବାର ୧୨ ଘଣ୍ଟିଆ ବନ୍ଦ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ଦାବିରେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୧୪ତମ ଦିନରେ ପହଂଚିଛି । ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମକର୍ତାଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଧରଣା ସ୍ଥଳକୁ ଆସି ନିଜର ନୈତିକ ସମର୍ଥନ ଜଣାଇଛନ୍ତି । ତଥାପି ଜନସାଧାରଣଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର ଅଦ୍ୟାବଧି କୌଣସି ସ୍ପଷ୍ଟୀକରଣ ଦେଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଆସନ୍ତା ୧୦ ତାରିଖ ବୁଧବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଲୋଇସିଂହା ବନ୍ଦ ଡାକରା ଦେଇଛି ଆଞ୍ଚଳିକ ବିକାଶ ପରିଷଦ । ଏହି ଅବସରରେ ସମସ୍ତ ଦୋକାନ ବଜାର ତଥା ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ସ୍କୁଲ କଲେଜ ତଥା ଗାଡି ମଟର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଆଜି ଏ ନେଇ ଡ଼ାକବାଜି ଯନ୍ତ୍ର ଯୋଗେ ସମସ୍ତଙ୍କୁ ସୂଚନା ଦିଆଯାଇଛି । ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ଆହୁତ ଧାରଣାରେ ସ୍ଥାନୀୟ ବଣିକ ସଙ୍ଘ, ବ୍ଲକ ସରପଞ୍ଚ ସଙ୍ଘ, ଆଦିବାସୀ ସଂଘ, ସିନିୟର ସିଟିଜନ ଆସେମ୍ବଲି, ସୁରସଙ୍ଗମ ସାଂସ୍କୃତିକ ସଂସଦ, ବିଶ୍ୱକଲ୍ୟାଣ ନାଗରିକ କମିଟି, କୋଶଲ ସେନା, ମାହେଶ୍ୱରୀ ସଂଗଠନ, ବିଙ୍ଗ ହୁମାନ ଫାଉଣ୍ଡେସନ, ପ୍ରତିଜ୍ଞା ସେବା ସଂଗଠନ, ବ୍ଲକ ସାମ୍ବାଦିକ ସଙ୍ଘ, ଓକିଲ ସଂଘ, ମାରବାଡ଼ି ଯୁବା ମଞ୍ଚ, ଯାଦବ ସମାଜ, ଆଦ୍ୟାଶା ସଂଗଠନ ପ୍ରମୁଖ ସାମିଲ ହେବା ସହିତ ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.