ପୁର୍ବତନ ଉପ-ବାଚସ୍ପତିଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ, ବିକାଶ ଯୋଜନାରୁ ଦୂରରେ ଡଙ୍ଗରମୁଣ୍ଡା ଗାଁ : ରାଜସ୍ୱ ମାନ୍ୟତା ପାଇଁ ଗ୍ରାମବାସୀଙ୍କ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଅବହେଳିତ ଅବସ୍ଥା ସରକାରୀ ଯୋଜନାର ସଫଲତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁରେ ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଅନେକ ଥର ଗ୍ରାମବାସୀମାନେ ଦାବୀ କରି ଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁ ନଥିବା ଗ୍ରାମାବସୀ ଅଭିଯୋଗ କରିଛନ୍ତି । ଡଙ୍ଗରମୁଣ୍ଡା ଗ୍ରାମଟି ୨ ୱାର୍ଡ ବିଶିଷ୍ଟ । ଗାଁରେ ୧୫୦୦ରୁ ଅଧିକ ଭୋଟର ଥିବା ବେଳେ ଜନସଂଖ୍ୟା ୨୫ଶହରୁ ଅଧିକ ହେବ । ବ୍ଲକରୁ ମାତ୍ର ୫ କିଲୋମିଟର ଗଲେ ଏହି ଗ୍ରାମ ପଡେ଼ । ବର୍ତମାନ ପର୍ଯ୍ୟନ୍ତ ଏହି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିନାହିଁ । ଡଙ୍ଗରମୁଣ୍ଡା ଗ୍ରାମର ଭିମାନନ୍ଦ ତାନଟି ନାମକ ଜଣେ ବ୍ୟକ୍ତି ଆସାମ ରାଜ୍ୟରେ ପୂର୍ବତନ ଉପ ବାଚସ୍ପତି ଭାବରେ ଅବସର ମଧ୍ୟ ନେଇ ସାରିଛନ୍ତି । କିନ୍ତୁ ତାଙ୍କ ଗାଁକୁ ଭଲ ରାସ୍ତାଟିଏ ବି ନାହିଁ । ପୁଣି ଓଡିଶା ରାଜସ୍ୱ ବିଭାଗକୁ ଗତ ୮.୧୦.୧୫ ମସିହାରେ ଲିଖିତ ଭାବରେ ଚିଠି ମଧ୍ୟ କରି ସାରିଛନ୍ତି । ହେଲେ ବର୍ତମାନ ସୁଦ୍ଧା ଏହି ଗ୍ରାମକୁ ରାଜସ୍ୱ ମାନ୍ୟତା ମିଳି ନଥିବା ନେଇ ଅସନ୍ତୋଷ ଦେଖାଦେଇଛି । ସେ ସମୟରେ ଶ୍ରୀ ତାନଟି ଆସାମ ରାଜ୍ୟର ଉପ ବାଚସ୍ପତି ଭାବରେ କାର୍ଯ୍ୟଭାର ତୁଲାଉ ଥିଲେ, ହେଲେ ମିନିଲାନି ତାଙ୍କ ଗ୍ରାମକୁ ରାଜସ୍ୱ ମାନ୍ୟତା । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ସହିତ ଗ୍ରାମର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି । ତେବେ ଏହି ଗ୍ରାମ ପାଇଁ ପକ୍କା ରାସ୍ତା ଖଣ୍ଡିଏ ନ ଥିବା ବେଳେ ସରକାରୀ ଯୋଜନାର ସଫଲତାକୁ ନେଇ ଏଠି ଏବେ ପ୍ରଶ୍ନ ଉଠୁଛି । ପ୍ରଶାସନ ଏନେଇ କୈାଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜୋର୍‌ଦାର୍‌ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ସେମାନେ ଯାହା କହନ୍ତି

ସୌମ୍ୟ ପଟେଲ, ସ୍ଥାନୀୟ ବାସିନ୍ଦା
ଅନେକ ଥର ପ୍ରଶାସନ ଠାରେ ଗୁହାରି କରି କରି ଆମେ ଥକି ଗଲୁଣି । ହେଲେ ପ୍ରଶାସନର ଇଚ୍ଛା ଶକ୍ତି ଅଭାବ ଦୃଷ୍ଟିରୁ ଏହି ଗ୍ରାମକୁ ରାଜସ୍ୱ ମାନ୍ୟତା ମଳି ପାରିନାହିଁ ।

ଅନୀଲ ପଟେଲ, ସ୍ଥାନୀୟ ବାସିନ୍ଦା
ଡଙ୍ଗରମୁଣ୍ଡାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଶହ ଶହ ବର୍ଷ ବିତିଯାଇ ଥିଲେ ମଧ୍ୟ ରାଜସ୍ୱ ମାନ୍ୟତା ପାଇଁ ନାହିଁ । ଏହା ପ୍ରଶାସନ ଓ ସରକାରଙ୍କ ବିଫଳତାର ଉଦାହରଣ ନିଶ୍ଚୟ ।

ଦେବେନ୍ଦ୍ର ଯୋଶୀ, ସଇଁନ୍ତଲା ଆଂଚଳିକ ସାମ୍ବାଦିକ ସଂଘ ସଭାପତି
ବର୍ଷ ବର୍ଷ ବିତି ଯାଉଛି, ହେଲେ ଏହି ଗ୍ରାମର ସମସ୍ୟାର ସମାଧାନ ହେଇପାରୁ ନାହିଁ । ଏହାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅନେକ ଦୁଃଖ ବଢିବାରେ ଲାଗିଛି । ତେବେ ଏହି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ମିଳିବାର ଆବଶ୍ୟକତା ରହିଛି ।

ରଞ୍ଜନ ବାରିକ, ଆଇନଜୀବୀ
ଅନେକ ଥର ଗ୍ରାମବାସୀମାନେ ପ୍ରଶାସନ ଆଗରେ ରାଜସ୍ୱ ମାନ୍ୟତା ଦିଆଯାଉ ବୋଲି ଭିକ୍ଷା ମାଗି ସାରିଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ରାଜସ୍ୱ ମାନ୍ୟତା ମିଳି ପାରି ନାହିଁ । ତେବେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!