ଡିଜିଟାଲ୍‌ ମାଧ୍ୟମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ବରଗଡ଼ର ଧନୁଯାତ୍ରା ମହୋତ୍ସବକୁ ଡିଜିଟାଲ୍‌ ମାଧ୍ୟମରେ କରିବାକୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦାବୀ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର ସୁମତୀ ଦାଶଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ଵ ପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ବରଗଡ଼ ଧନୁଯାତ୍ରାକୁ କୋଭିଡ-୧୯ ଯୋଗୁଁ ମହୋତ୍ସବ ସମିତି ଚଳିତ ବର୍ଷ ବାତିଲ କରିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ମଧ୍ୟ ଏହି ସାଂସ୍କୃତିକ ଭାବାବେଗରେ ଜଡ଼ିତ ଯାତ୍ରାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ ନ କରି କୋଭିଡ ନିୟମ ପାଳନ କରି ଡିଜିଟାଲ ମାଧ୍ୟମରେ କରିବାକୁ ଦାବୀ କରିଛନ୍ତି ।

ସେହିପରି ଧନୁଯାତ୍ରା ମହୋତ୍ସବରେ ସାମିଲ ଥିବା ଚାରି ଶହରୁ ଅଧିକ କଳାକାର କୋଭିଡ କଟକଣା ଯୋଗୁଁ ଆର୍ଥିକ ସଂକଟର ଗତି କରୁଥିବା ବେଳେ ଧନୁଯାତ୍ରା ବାତିଲ ଯୋଗୁଁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଶକ୍ତ ଧକ୍କା ଲାଗିଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ବଞ୍ଚିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲ୍ଲାପାଳ ତଥା ମହୋତ୍ସବ ସମିତିର ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଠାରେ ଦାବୀ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ କାର୍ୟ୍ୟକାରୀ କମିଟିରେ ବିଚାର ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.