ତେଲ ଓ ଉତେଇ ନଦୀର ସଙ୍ଗମ ସ୍ଥଳୀ ‌ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ରେଖାରେ ଥିବା ସର୍ବ ପୁରାତନ ଶିବ ମନ୍ଦିର ବେଲଖଣ୍ଡି । ସଇଁନ୍ତଲା ବ୍ଳକରୁ ଡ଼ଙ୍ଗା ଦେଇ ଗଲେ ୧୫ କିଲୋମିଟର, ଭବାନୀପାଟଣା ଠାରୁ ୬୫ କିଲୋମିଟର ବାଟ ପଡ଼ିଥାଏ । ଲୋକମାନେ ଡ଼ଙ୍ଗା ଦେଖ ମଧ୍ୟ ଏହି ମନ୍ଦିରକୁ ଯାଇଥାଆନ୍ତି । ଲୋକଙ୍କ ବିଶ୍ୱାସ, ଆଗ୍ରହ ଆଧାରରେ ହଜାର ହଜାର ଲୋକ ମନ୍ଦିରକୁ ଆସିଥାନ୍ତି ।

ଏହି ବେଲଖଣ୍ଡି ମନ୍ଦିରର ଦୁଇ ପାର୍ଶ୍ଵରେ ତେଲ ନଦୀ ଓ ଉତେଇ ନନ୍ଦୀର ସଙ୍ଗମ ରହିଛି । ଏହି ଦୁଇ ନନ୍ଦୀର ମିଳନ ସ୍ଥଳରେ ଶିବ ଓ ଶକ୍ତି ପୀଠ ରହିଛି । କୁହାଯାଏ, ଏହି ବେଲଖଣ୍ଡିର ନାମ ଥିଲା ରଜାପଦର । ଐତିହାସିକ, ଗବେଷକ ମାନେ ପଞ୍ଚମ ଖ୍ରୀଷ୍ଟାବ୍ଦରୁ ଦଶମ ଖ୍ରୀଷ୍ଟାବ୍ଦ ଭିତରେ ଏହି ମନ୍ଦିର ନିର୍ମାଣ ହୋଇଥିବା ମତ ଦିଅନ୍‌ନ୍ତି।ଐତିହାସିକଙ୍କ ଅନୁସାରେ ପର୍ବତ ଦ୍ୱାରିକା, ରାଷ୍ଟ୍ରକୁଟ ଓ ସୋମବଂଶୀ ରାଜା ମାନଙ୍କ ମଧ୍ୟ ଏହି ମନ୍ଦିର ନିର୍ମାଣରେ ହାତ ରହିଥିବା ଜଣାପଡିଛି ।

ତେବେ ଏହି ଶିବ ମନ୍ଦିର କେବେ ନିର୍ମାଣ ହୋଇଛି, କେତେ ବର୍ଷର, ତାହା ଗବେଷକମାନେ ହିଁ ଜାଣି ପାରିବେ ବୋଲି ଲୋକେ କହିଛନ୍ତି । ୧୫୦୦ ବର୍ଷ ତଳେ ଏହି ପୁରାତନ ଶିବ ମନ୍ଦିର ତେଲ ନନ୍ଦୀର ବାଲିରେ ଭାସି ଯାଇଥିଲା । ତେବେ ଏହି ନଦୀର ଚାରି ପାର୍ଶ୍ବରେ ଜଙ୍ଗଲରେ ଘନ ବୃକ୍ଷଲତା ଥିବାବେଳେ ଲୋକେ ଭୟରେ ଏହି ମନ୍ଦିରକୁ ଆସୁ ନଥିଲେ । ଲୋକଙ୍କ ଗମନାଗମନ ପାଇଁ ସୁବିଧା ସୁଯୋଗ ନ ଥିବା ଯୋଗୁଁ ଧୀରେ ଧୀରେ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଶିବ ପୀଠ ଲୋକଙ୍କ ନଜରରୁ ଦୂରେଇ ଯାଇଥିଲା ।

୧୮୭୪-୭୫ ମସିହାରେ ଇଂରେଜ ଅଫିସର ଜେ. ଡି ବେଗ୍ଲାର ବେଲଖଣ୍ଡି ଅଞ୍ଚଳକୁ ଆସିଥିବା ସମୟରେ ତେଲ ଓ ଉତେଇ ମିଳନ ସ୍ଥଳରେ କୋଟି କୋଟି ରତ୍ନ ପଥର, ଭଙ୍ଗା ଦଦରା ମନ୍ଦିର ରହିଛି ବୋଲି ରିପୋର୍ଟ ପ୍ରଦାନ କରିଥିଲେ । ଜେ. ଡି ବେଗ୍ଲାରଙ୍କ ରିପୋର୍ଟ ଅନୁସାରେ ଏହି ସ୍ଥାନରେ ଭଙ୍ଗା ଦଦରା ମନ୍ଦିର, ମନ୍ଦିରର ସଭାଗୃହ, ବଡ଼ ମଣ୍ଡପ ଥିଲା । ମନ୍ଦିର ସାମ୍ନାରେ ଗୋଟିଏ ବଡ଼ ଜାଗା ଥିଲା ଓ ମନ୍ଦିରର ଚାରି ଆଡ଼କୁ ବାଡ଼ ମଧ୍ୟ ଥିଲା ।

ମନ୍ଦିର ପାର୍ଶ୍ଵର ସୁନ୍ଦର ସୁନ୍ଦର ବାଲି ଭିତରୁ ବାହାରି ଥିବା ଭିନ୍ନ ଭିନ୍ନ ପ୍ରକାରର ମୃତ୍ତି ମଧ୍ୟ ରହିଥିଲା । ହିନ୍ଦୁ ମାନଙ୍କର ହାତରେ ତିଆରି ମୂର୍ତ୍ତି ସବୁ ଯାକ ପଥରରେ ନିର୍ମିତ ହୋଇଥିଲା ।ବେଲଖଣ୍ଡି ଶିବ ମନ୍ଦିର ନିର୍ମାଣରେ ରାଜୀମ, ସଭାରପୁର (ଶିରପୁର) ସେଭରୀ ନାରାୟଣ ଓ ସେଣ୍ଟାଲ ପ୍ରୋଭିନ୍ସର ଖର୍ଚ୍ଚରେ ହୋଇଥିଲା ବୋଲି ଜେ. ଡି ବେଗ୍ଲାର ତାଙ୍କର ରିପୋର୍ଟରେ ଲେଖିଛନ୍ତି । ତେବେ ସେତେବେଳେ କଳାହାଣ୍ଡି ଅଞ୍ଚଳରେ ପର୍ବତ ଦ୍ୱାରିକା, ରାଷ୍ଟ୍ରକୂଟ, ସୋମବଂଶୀ, ଗଙ୍ଗ ବଂଶୀ ଓ ନାଗ ବଂଶୀ ରାଜା ମହାରାଜା ମାନେ ଶାସନ କରୁଥିଲେ ।

କଳାହାଣ୍ଡି ଗଡ଼ଜାତର ୩୦ତମ ନାଗବଂଶୀ ରାଜା ମହାରାଜା ବ୍ରଜମୋହନ ଦେଓ (୧୯୧୭-୧୯୩୯) ମସିହାରେ ବେଲଖଣ୍ଡି ଚଣ୍ଡୀ ମନ୍ଦିର ତିଆରି କରିଥିଲେ । ୧୯୪୬ ମସିହାରେ କଳାହାଣ୍ଡି ଗଡ଼ଜାତ ରାଜ୍ୟର ନାଗବଂଶୀ ରାଜା ମହାରାଜା ପ୍ରତାପ କେଶରୀ ଦେଓ ଐତିହାସିକ, ଗବେଷକ କେଦାର ନାଥ ମହାପାତ୍ରଙ୍କ ଠାରୁ ବେଲଖଣ୍ଡିରେ ପ୍ରତ୍ନତାତ୍ତ୍ୱିକ ଖନନ କରାଇଥିଲେ । ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ଏହି ମନ୍ଦିର ପରିସରରେ ଭଙ୍ଗାରୁଜା ଭାଗ ମୃର୍ତ୍ତି ଓ ସପ୍ତମାତୃକା ମୃତ୍ତି ମିଳିଥିଲା । ତେବେ ଏହି ଐତିହାସିକ ପୀଠ ବେଲଖଣ୍ଡି ଶିବ ପୀଠରେ ଧବଳେଶ୍ବର ବାବାଙ୍କ ନାମରେ ମହାଦେବ ପରିଚିତ । ଏହି ମନ୍ଦିରରେ ବାବାଙ୍କ ସହିତ ଛୋଟ ବଡ଼ ହିସାବରେ ୬ଟି ମନ୍ଦିର ରହିଛି । ଧୁବଳେଶ୍ୱର ବାବା, କପିଳେଶ୍ୱର ମହାଦେବ, ଜଳେଶ୍ବର ବାବା, ମା’ ଚଣ୍ଡୀ ମନ୍ଦିର, ଗଙ୍ଗା ମାତା ଓ ହନୁମାନ ମନ୍ଦିର ରହିଛି ।

ଧବଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ମନ୍ଦିର କାମ ତୁଲାଉଛନ୍ତି । ରାଜା ରାଜୁଡା ଶାସନ ସମୟରୁ ତାଲଅଭରା ଗ୍ରାମର ସିଂ ପରିବାର ପିଢ଼ି ପିଢ଼ି ଧରି ଏହି ମନ୍ଦିର ଶିବ ପୀଠରେ ପୂଜା କରିଆସୁଛନ୍ତି । ଏହି ଧବଳେଶ୍ୱର ପୀଠରେ ଶିବରାତ୍ରୀ, କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଦଶହରା, ଚିଇତ ଭଳି ବିଭିନ୍ନ ଯାତ୍ରା ହୁଏ । ସେ ଭିତରେ ଶିବ ରାତ୍ରି ବଡ଼ ଯାତ୍ରା ଭାବେ ପରିଚିତ । ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ୩ ଦିନ ଧରି ଯାତ୍ରା ହୁଏ । ଶିବରାତ୍ରୀ ସରିବା ପରେ ଚଣ୍ଡୀ ମନ୍ଦିରରେ ମାନସିକ କରିଥିବା ଭକ୍ତ ମାନେ ବୋଦା, ନଡ଼ିଆ ଆଦି ମା’ଙ୍କ ନିକଟରେ ଦେଇ ଥାଆନ୍ତି । ମାନସିକଧାରୀ ମାନଙ୍କ ବିଶ୍ୱାସରେ ହଜାର ହଜାର ବଳି ବି ପଡିଥାଏ ।

ତେବେ ଶିବରାତ୍ରୀ ସମୟରେ ବଲାଙ୍ଗିର, ସୋନପୁର, ନୂଆପଡା, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ଭଳି ଅନେକ ସ୍ଥାନରୁ ଯାତ୍ରୀ ଦେଖିବା ପାଇଁ ଆସିଥାନ୍ତି । ତେବେ ୧୯୯୦ ମସିହାରେ କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଭବାନୀପାଟଣା ମାଣିକ୍ୟପୁର ସଂଗ୍ରହାଳୟ ନିର୍ମାଣ ହେଲା । ବେଲଖଣ୍ଡି ଠାରୁ ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ମିଳିଥିବା ସପ୍ତ ମାତୃକାର ମୂର୍ତ୍ତି ମାନେ ଏହି ସଂଗ୍ରହାଳୟରେ ରଖାଯାଇଛି । ହେଲେ ଖୋଲା ଆକାଶ ତଳେ ଶତାଧିକ ପଥର ମୂର୍ତ୍ତି ରହିଥିବା ବେଳେ ରକ୍ଷଣା ବେକ୍ଷଣ ଦାୟିତ୍ୱ ଅଭାବରୁ ନଷ୍ଟ ହେବାରେ ମଧ୍ୟ ଲାଗିଲାଣି । ଆଉ ମାଟି ତଳେ ଖୋଲିଲେ ମଧ୍ୟ ପଥର ମୂର୍ତ୍ତି ବାହାରିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ଏହି ପୁରାତନ ଧବଳେଶ୍ୱର ପୀଠକୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ଦିଆଯାଉ ବୋଲି ମଧ୍ୟ ଦାବୀ ହେଉଛି ।

Leave A Reply

Your email address will not be published.