ସାଇବର ଠକକୁ ଧରି କୋର୍ଟ ଚାଲାଣ କଲା ପୋଲିସ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ଜଣେ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେ ହେଲେ ଚାରୁଚନ୍ଦ୍ର ସିଂଙ୍କ ପୁଅ ତୁଫାନ । ଏନେଇ ଥାନାରେ ଏକ ମାମଲା (ନଂ.୨୧୪/୨୨) ରୁଜୁ ହୋଇଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ୩ ଯୁବକ ବେତନଟୀ କୋର୍ଟ ଛକ ନିକଟରେ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ବେତନଟୀ ପୋଲିସ ସେମାନଙ୍କୁ ଧରିବା ସହ ସାଇବର ଠକେଇର ସୁରାକ ପାଇଥିଲା । ସେମାନଙ୍କଠାରୁ ନଗଦ ୧ଲକ୍ଷ ୩୫ ହଜାର ଟଙ୍କା, ୭ଟି ମୋବାଇଲ, ୧୧ଟି ସିମ କାର୍ଡ଼, ଗୋଟିଏ ମେମୋରୀ କାର୍ଡ, ବିଭିନ୍ନ ବ୍ୟାଙ୍କର ୮ଟି ଏଟିଏମ୍‌ କାର୍ଡ ସମେତ ଏକ ହୋଣ୍ଡା ସିଟି କାର ମଧ୍ୟ ଜବତ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ସାଇବର ଠକେଇ ଘଟଣା ନେଇ ସବୁ ଥାନାକୁ ଆଲର୍ଟ କରିଥିଲେ । ଶନିବାର ବୈଶିଙ୍ଗା ଥାନା ସହାୟତାରେ ମଧ୍ୟପ୍ରଦେଶ ପୋଲିସ କଦଳିଆ ଗ୍ରାମରେ ପହଞ୍ଚିଥିଲେ । ଏହି ଗ୍ରାମର ତୁଫାନ ଏକ ଘରୋଇ ଟେଲିକମ୍‌ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଜାଲିଆତି କରି ସେହି ଗ୍ରାମର ହେମନ୍ତ ସାହୁଙ୍କ ପୁଅ ବିରେନ ସାହୁଙ୍କ ନାମରେ ଏକ ସିମ୍‌କାର୍ଡ ବାହାର କରି ମଧ୍ୟପ୍ରଦେଶର ଜନୈକ ବ୍ୟକ୍ତିଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ବୈଶିଙ୍ଗା ପୋଲିସ ତୁଫାନଙ୍କୁ ଗିରଫ କରିବା ସହିତ ସୋମବାର କୋର୍ଟଚାଲାଣ କରିଛି । ଏହି ଘଟଣା ସହିତ ଗତ ସପ୍ତାହର ବେତନଟୀ ସାଇବର ଠକେଇ ଘଟଣାର ଲିଙ୍କ୍‌ ଥିବା ନେଇ ଅନୁସନ୍ଧାନ ଜାରି ରହିଛି । ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ସମସ୍ତ ମୋବାଇଲ ଷ୍ଟୋରଗୁଡ଼ିକ ଉପରେ ସୋମବାର ଦିନ ତମାମ ଚଢ଼ାଉ ଜାରି ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.