ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବଢୁଛି ସାଇବର କ୍ରାଇମ । ଏହାକୁ ରୋକିବାକୁ ଗଞ୍ଜାମ ପୋଲିସ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ସାଧାରଣ ପ୍ରଶାସନର ମିଳିତ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ପ୍ରତିଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ତୃଣମୂଳ ସ୍ତରରୁ ସଚେତନତା ସଭା, ରାଲି ବାହାରିବ । ସାଇବର କ୍ରାଇମ ରୋକିବା ନିମନ୍ତେ ସମଗ୍ର ଗଞ୍ଜାମ ଜିଲ୍ଲାରେ ବୁଲିବ ଏକ ସଚେତନତା ରଥ । ଏନେଇ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଗୁରୁବାର ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । ଗୁରୁବାର ଛତ୍ରପୁରସ୍ଥ ଗଞ୍ଜାମ ଏସ୍ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍ପି ଶ୍ରୀ ମୀନା ସାଇବର କ୍ରାଇମ ସମ୍ବନ୍ଧୀୟ ବିବିଧ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ ଏବଂ ଜିଲ୍ଲାର ବହୁ ପୋଲିସ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାର ମୁଖ୍ୟାଳୟରେ ମଧ୍ୟ ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବ୍ରହ୍ମପୁର ଏସ୍ପି ଡ଼ଃ.ଶ୍ରବଣା ବିବେକ ଏମ୍. ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ।