ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଟଙ୍କା ନେଉଛନ୍ତି ସିଏସ୍‌ସି ମାଲିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ ଲାଗିରହୁଛି । ଏହାର ସୁଯୋଗ ନେଇ ଛିନ୍ଦବାହାଲି ଗ୍ରାମରେ ଥିବା ସିଏସ୍‌ସି ସେଣ୍ଟରର ମାଲିକ ଗରିବ ଶ୍ରେଣୀର ମହିଳାମାନଙ୍କ ଠାରୁ ଟଙ୍କା ନେଉଥିବାର ଅଭିଯୋଗ ହୋଇଛି । ମୋବାଇଲ ଲିଙ୍କ, ଠିକଣା ସଂଶୋଧନ, ବାୟୋମେଟ୍ରିକ ସଂଶୋଧନ ଓ ନୂତନ ଆଧାରକାର୍ଡ କରିବା ଲାଗି ମନଇଚ୍ଛା ୨ ଶହ ଠାରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରୁଛନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଛିନ୍ଦବାହାଲି ଗ୍ରାମରେ । ଏଠାରେ ରୋହିତ ପୁଞ୍ଜି ନାମକ ବ୍ୟକ୍ତି ୪୩୧୭୧୬୭୫୦୦୧୮ ଆଇଡିରେ ଏକ ସିଏସ୍‌ସି ଖୋଲିଛନ୍ତି । ତାଙ୍କ କହିବା ଅନୁଯାୟୀ ସୁଭଦ୍ରା ଯୋଜନା ଅନଲାଇନ କରିବା ପାଇଁ ଲୋକଙ୍କ ଠାରୁ ୩୦ରୁ ୫୦ ଟଙ୍କା ଆଦାୟ କରୁଛନ୍ତି । ସେହିପରି ଡମ୍ବରୁଧର ପୁଞ୍ଜି ମଧ୍ୟ ୨୬୫୫୪୭୬୩୦୦୧୬ ସିଏସ୍‌ସି ଆଇଡିରେ ଲୋକଙ୍କ ଠାରୁ ଟଙ୍କା ନେଉଥିବା ପ୍ରକାଶ କରିଛନ୍ତି । ଏଣୁ ତୁରନ୍ତ ଏ ଦିଗରେ ୟୁଆଇଡିଏଆଇ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.