ପଦ୍ମପୁର, ( ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବରବାହାଲ ଗ୍ରାମରେ ଇନ୍ଦିରା ପ୍ରିୟଦର୍ଶିନୀ କ୍ଲବ ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ୨୧ତମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ନଅଗାଁ ଏକାଦଶ ଓ ଢେଙ୍କିମୁଣ୍ଡା ଏକାଦଶ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଢେଙ୍କିମୁଣ୍ଡା ଦଳ ନଅଗାଁ ଦଳକୁ ହରାଇ ଏ ବର୍ଷର ଚମ୍ପିୟାନ ହୋଇଛି । ଅମିତ ହଂସ ଓ ସୁଶାନ୍ତ ଖୁମୁରୀ ଛଅ ଦିନ ଧରି ମ୍ୟାଚର କମେଣ୍ଟ୍ରି କରିଥିଲେ ଏବଂ କେ.ଶ୍ରବଣ ଓ ଲିଙ୍ଗରାଜ ଷଡ଼ଙ୍ଗୀ ଫାଇନାଲ ମ୍ୟାଚରେ ଆମ୍ପାୟାର ଦାୟିତ୍ଵ ତୁଲାଇଥିଲେ । ଫାଇନାଲ ମ୍ୟାଚକୁ ପୂର୍ବତନ ସରପଞ୍ଚ ନିରଞ୍ଜନ ଡନସନା ଓ ସମିତି ସଭ୍ୟ ପ୍ରାର୍ଥୀ ଦିଲୀପ ବଢ଼େଇ ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ମାଣ୍ଡୋସିଲ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ ମୁଖ୍ୟ ଅତିଥି ଓ ଅନ୍ୟତମ ସମିତି ସଭ୍ୟ ପ୍ରାର୍ଥୀ ଲଲିତ ଜଗତ ଏବଂ ଡୁମ୍ବେରବାହାଲ ବୁଢ଼ାରଜା ପାଣି ପଞ୍ଚାୟତ ସଭାପତି ଲଲିତ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେଲେ ଅତିଥିମାନେ ଏହି ଗ୍ରାମରେ କ୍ରୀଡା ଓ ଖେଳ ପଡିଆର ବିକାଶ ସହ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉପବିଜେତା ନଅଗାଁ ଦଳକୁ ନଗଦ ଟ୧୦,୦୦୦/-ଙ୍କା ସହ ଟ୍ରଫି ଓ ବିଜେତା ଢେଙ୍କିମୁଣ୍ଡା ଦଳକୁ ନଗଦ ଟ୨୦.୦୦୦/-ଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବନବାସ ସାହୁ ସଭା ପରିଚାଳନା କରିଥିଲେ ଓ ଅନୀଲ ବାଗ, ପପୁ ସାହୁ, ମୋତିଲାଲ ବାଗ, ଷଡମୁଖ ସାହୁ, ଗଜାନନ ପଟେଲ, କରୁଣାକର ବାଗ, ଅଭି ବାଗ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।