ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା କୋଭିଡ ସୂଚନା ପତ୍ର ଉନ୍ମୋଚିତ ହୋଇଯାଇଛି । ଏହି ସୂଚନା ପତ୍ରରେ ସାରା ଜିଲ୍ଲାର କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଡାକ୍ତରଖାନା, ଆମ୍ବୁଲାନ୍ସ, ଡାକ୍ତର ଓ ଫୋନ ନମ୍ବରର ସବିଶେଷ ସୂଚନା ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏହି ସୂଚନା ପତ୍ରକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସମସ୍ତ ଜନ ସାଧାରଣ ପାଖରେ ମୋବାଇଲ କିମ୍ବା ଇନ୍ଟରନେଟ ସୁବିଧା ନାହିଁ । ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ସ୍ୱାସ୍ଥବସ୍ଥା ବିଷୟରେ ଏଯାଏଁ ସବୁ ସୂଚନା ଇନ୍ଟରନେଟ ମାଧ୍ୟମରେ ଦିଆ ଯାଉଛି । ତାହା ସେମାନଙ୍କ ପାଖକୁ ପହଞ୍ଚି ପାରୁ ନଥିବା ଅନୁମାନ କରାଯାଉଛି । ଏହି ସୂଚନା ପତ୍ର ଜିଲ୍ଲାର ସମସ୍ତ କୋଭିଡ ଡାକ୍ତରଖାନା, ଆମ୍ବୁଲାନ୍ସ, ଡାକ୍ତର ଓ ତାଙ୍କ ଫୋନ ନଂବର ରହିଛି । ଆବଶ୍ୟକ ସମୟରେ ଲୋକେ ଏହା ଦ୍ୱାରା ଯୋଗେଯାଗ କରି ଉପକୃତ ହୋଇ ପାରିବେ । ପ୍ରତିଦିନ ବିଭିନ୍ନ ସମ୍ବାଦ ପତ୍ରରେ ମଧ୍ୟ ଏହି ସୂଚନା ପତ୍ର ବିତରଣ କରାଯାଉଛି । ତେବେ ନିୟମିତ ବ୍ୟବଧାନରେ ଏହି ସୂଚନା ପତ୍ରରେ ନୂତନ ଯୋଡା ଯାଇଥିବା ସୁବିଧାକୁ ଉଲ୍ଲିଖୀତ କରିବା ବ୍ୟବସ୍ଥା ରହିଛି । ଫଳରେ ଜିଲ୍ଲାବାସୀ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ କରୋନାର ସଠିକ ମୁକାବିଲା କରି ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀମାନଙ୍କ ସହିତ ଏଡିସନାଲ ଏସ୍ପି ଦିଲୀପ ପଟେଲ, ସିଡିଏମଓ ଭୀମ ସାହୁ, ଡିପିଓ ପ୍ରଶାନ୍ତ ଶତପଥି, ଡିଏସଡବ୍ଲୁ ବିଦ୍ୟୁତଲତା ପଟ୍ଟନାୟକ ଓ ଡିଆଇପିଆରଓ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।