ଲୋଇସିଂହା ବ୍ଲକ୍‌ରେ ଘରକୁ ଘର ବୁଲି କରୋନା ପରୀକ୍ଷା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକର ୧୦୮ ଖଣ୍ଡ ଗ୍ରାମରେ ଘରକୁ ଘର ବୁଲି କରୋନା ପରୀକ୍ଷା ଅଭିଯାନ ଆରମ୍ଭ ହୋଇଛି । ମଇ ୨୪ ରୁ ଅଗଷ୍ଟ ୨୩ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଲୋଇସିଂହା ବ୍ଳକର ୧୬୫ ଆଶା କର୍ମୀ ଓ ୧୭୩ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିବା ସହିତ କରୋନା ରୋଗୀକୁ ଚିହ୍ନଟ କରି ଔଷଧ ପ୍ରଦାନ କରିବେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚନା ପ୍ରଦାନ କରିବେ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡାକ୍ତରଖାନା ପଠାଇ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରିବେ । ଏହା ବ୍ୟତୀତ ଯକ୍ଷ୍ମା, ଅଣସଂକ୍ରାମକ ରୋଗ, ମ୍ୟାଲେରିଆ ଡେଙ୍ଗୁ, ଡାଇରିଆ ଆଦି ରୋଗ ସହିତ ଶିଶୁ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ । ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆ, ସିଏଚସି ମେଡିକାଲ ଇଂଚାର୍ଜ ଡ଼. ପ୍ରତିମା ସୋରେନ ଓ ସିଡିପିଓ ପ୍ରଜ୍ଞାରାଣୀ ବାରିକଙ୍କ ତତ୍ୱାବଧାନରେ ପିଏଚ୍ଇଓ ରମେଶ ସାହୁ, ବିପିଏମ୍ ସନ୍ତୋଷ ଦୋରା ପ୍ରମୁଖ ଅଙ୍ଗନୱାଡି ଓ ଆଶା କର୍ମୀ ତଥା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.