ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସଦନ ଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଜାତୀୟ ସାଂଗଠନିକ ସମ୍ପାଦକ ତଥା ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଶ୍ରମିକ ସମସ୍ୟା, ଦାଦନ ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଜିଲ୍ଲାରେ ମୁଣ୍ଡ ଟେକି ରହିଥିଲେ ହେଁ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ଓ ସରକାର ଶ୍ରମିକ ବିରୋଧି ନୀତି ଯୋଗୁଁ ଏହାର ସମାଧାନ ହୋଇ ପାରୁନାହିଁ, ତେଣୁ ଶ୍ରମିକ ସମାଜ ନିଜେ ସଚେତନ ହୋଇ ଏଥି ପାଇଁ ସଂଘର୍ଷ କରିବାକୁ ପଡିବ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ସଭାପତି ସରୋଜ ପଧାନ ଯୋଗଦାନ କରି ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ ଶ୍ରମ ବିଭାଗ ବାଧ୍ୟତାମୂଳକ ଭାବରେ କରିବା ବଦଳରେ ଏଥିରେ ଟାଳଟୁଣ ନୀତି ଅବଳମ୍ବନ ଦ୍ୱାରା ପର ମୁହୁର୍ତ୍ତରେ ଶ୍ରମିକ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତିତ ହୋଇଥାନ୍ତି । ତେଣୁ ଶ୍ରମିକ ସମସ୍ୟାକୁ ବିଭାଗୀୟ ଅଧିକାରୀ ଅତି ହାଲୁକା ଭାବରେ ଗ୍ରହଣ କରିବା ଦୁଃର୍ଭାଗ୍ୟପୂର୍ଣ୍ଣ ବୋଲି ମତ ପୋଷଣ କରିଥିଲେ । ଏହି ବୈଠକରେ ପ୍ରବାସୀ ଶ୍ରମିକକୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ବିଭାଗୀୟ ଅପାରଗତକୁ ପ୍ରମୁଖ ଭାବରେ ଉପସ୍ଥାପନ କରାଯାଇ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ସଂଗଠନ ସଦା ତତ୍ପର ବୋଲି ମତବ୍ୟକ୍ତ କରାଯାଇଛି । ଅନ୍ୟତମ ଅତିଥି ଭାବେ ଗୋଳାବାରୁଦ କାରଖାନା କର୍ମଚାରୀ ୟୁନିୟନର ଉପ ସଭାପତି ସଂଜିବ କୁମାର ବଗର୍ତ୍ତି, ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୁଲିଆ ସଂଘର ସଭାପତି ପ୍ରେମାନନ୍ଦ ଭୋଇ ଯୋଗ ଦେଇ ଚାଷ ଓ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଦେଓଗାଁ ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରିବା, ଧାନର ଏମ୍‌ଏସ୍‌ପି ଯଥା ଶୀଘ୍ର ୩୧ଶହ ଘୋଷଣା କରିବା ଓ ସରକାରୀ ପ୍ରତିଶୃତି ଅନୁଯାୟୀ ୩୦୦ ୟୁନିଟ ବିଜୁଳି ମାଗଣା ଯୋଗାଇ ଦେବାକୁ ସଭାରେ ଆଲୋଚନା ହୋଇଥିଲା । ସମଗ୍ର ଦେଶରେ ଦରଦାମ ବୃଦ୍ଧି ଯୋଗୁଁ ଶ୍ରମିକ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ମେରୁଦଣ୍ଡ ଦୋହଲି ଯାଇଥିବାରୁ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଥିଲା । ମନରେଗା ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ୨୦୦ ଦିନର କାର୍ଯ୍ୟ ବାଧ୍ୟତାମୂଳକ ଭାବରେ ଯୋଗାଇଦେବା, ଜିଲ୍ଲାର ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାରେ ଗଢିଉଠିଥିବା ବିଭିନ୍ନ ପ୍ରକଳ୍ପ ଓ ଠିକା ସଂସ୍ଥାମାନଙ୍କରେ ଚାକିରି ଦେବା ଓ ଶ୍ରମିକଙ୍କ ରୋଜଗାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଦାବି କରାଯାଇଥିଲା । ଦଶନ୍ଧି ଦଶନ୍ଧି ଧରି ଦାଦନ ସମସ୍ୟା ଉପରେ ମିଟିଙ୍ଗ ସିଟିଙ୍ଗ ଇଟିଙ୍ଗ ମାଧ୍ୟମରେ ସମୟ ନଷ୍ଟ କରାନଯାଇ ଏହାର ସମାଧାନ କରାଯାଉ ବୋଲି ମତ ପୋଷଣ କରାଯାଇଥିଲା । ଏହା ସହିତ ଗତ ସରକାର ଥିବା ବେଳେ ନୂଆପଡା ଓ ବଲାଙ୍ଗିର ଜିଲ୍ଲାକୁ ଦାଦନ ମୁକ୍ତ ଘୋଷଣା କରାଯାଇ ୭ ଗୋଟି ବ୍ଲକକୁ ପ୍ରଦାନ କରାଯାଇଥିବା ୧୩୪ କୋଟି ଟଙ୍କାର କାର୍ଯ୍ୟକାରିତା ଉପରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ମଧ୍ୟ ଦାବି ହୋଇଥିଲା । ସଭା ଶେଷରେ ସଂଗଠନର ସାଧାରଣ ସମ୍ପାଦକ ବିଦ୍ୟାଧର ସୁନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ଜିଲ୍ଲା ଯୁଗ୍ମ ସଂପାଦକ ବିବେକ ପାତ୍ର, କୋଷାଧ୍ୟକ୍ଷ ରମାକାନ୍ତ ମାଝୀ, ନାରିନେତ୍ରୀ ମଞ୍ଜୁରାଣୀ ନାଗ, ସୁଷମା ବାରିକ, ସୁଜାତା ବାରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.