- ବଲାଙ୍ଗିରକୁ ଶିଳ୍ପ ବିହୀନ କରିବାରେ ରାଜପରିବାର ଦାୟୀ : ସମରେନ୍ଦ୍ର
- ୧୦ ବର୍ଷର ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ନରସିଂହ
- ବଲାଙ୍ଗିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ରାଜ ପରିବାର : ସମରେନ୍ଦ୍ର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନଗର କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ସମରେନ୍ଦ୍ର ମିଶ୍ର ଯୋଗ ଦେଇ କହିଛନ୍ତି ଯେ, ସାରା ରାଜ୍ୟରେ ବଲାଙ୍ଗିର ଏପରି ଏକ ଜିଲ୍ଲା ଯେଉଁଠାରୁ କି ଯୁବକମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏଠାରେ ପାଠ ପଢିବା ପାଇଁ ଉଚ୍ଚତର ଶିକ୍ଷାନୁଷ୍ଠାନ ନାହିଁ । ପାଠ ପଢିସାରିଲେ ରୋଜଗାର ପାଇଁ କୌଣସି ଶିଳ୍ପ କିମ୍ବା ତତ୍ ସମ୍ବନ୍ଧୀୟ ଅନୁଷ୍ଠାନ ନାହିଁ । ଏହା ପଛରେ ଏକ ବିଚାଟ ଷଡଯନ୍ତ୍ର ଅଛି । ୯୦ ଦଶକରୁ କ୍ରମାଗତ ଭାବରେ ଏଠାରୁ ୨୦୧୪ ପର୍ୟ୍ୟନ୍ତ ପ୍ରତିନିଧିତ୍ୱ କରୁଥିବା ରାଜନେତାମାନେ ଏହି ସରକାରରେ ସମସ୍ତ ବିଭାଗର ମନ୍ତ୍ରୀ ହୋଇସାରିଛନ୍ତି କିନ୍ତୁ ଏଠାର ଛାତ୍ରମାନଙ୍କ ପାଇଁ କୌଣସି ଏକ ବୈଷୟିକ ଶିକ୍ଷାନୁଷ୍ଠାନ କିମ୍ବା କୌଣସି ଶିଳ୍ପ ଯେଉଁଠାରେ କି ଆମ ଏଠିକାର ପିଲା ପାଠ ପଢିସାରିଲା ପରେ ଚାକିରି କରିପାରିବେ ସେଭଳିଆ ଆନୁଷ୍ଠାନ କରିପାରିଲେ ନାହିଁ । ଏକ ସୁଚିନ୍ତିତ ଷଡଯନ୍ତ୍ର ମାଧ୍ୟମରେ ବଲାଙ୍ଗିରକୁ ଏହି ରାଜପରିବାର ହିଁ ଶିଳ୍ପ ବିହୀନ କରି ଆମ ପିଲାମାନଙ୍କୁ ବେକାର କରିବାରେ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ନଗର କଂଗ୍ରେସର କର୍ମୀ ସମ୍ମିଳନୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସଭାରେ ସେ ଏହା ମଧ୍ୟ କହିଥିଲେ ଯେ, ଯେଉଁମାନେ ଲୋକଙ୍କ କଥା ଓ ଦାବୀକୁ ସରକାରଙ୍କ ଆଗରେ ଜଣାଇବାକୁ ଭୟ କରନ୍ତି ଏବଂ ଯେଉଁମାନଙ୍କ ଏହି ମାଟି ପ୍ରତି ଦରଦ ନାହିଁ ସେମାନେ କିପରି ଭାବରେ ଆମ ଯୁବକମାନଙ୍କ ଦୁଃଖ ବୁଝିବେ । ତେଣୁ ବଲାଙ୍ଗିରର ଛାତ୍ର, ଯୁବକ, କୃଷକ, ଶ୍ରମିକ ସମସ୍ତ ବର୍ଗର ବିକାଶ ପାଇଁ କଂଗ୍ରେସ କର୍ମୀମାନେ ଏକଜୁଟ ହୁଅନ୍ତୁ ଏବଂ ଏହି ବିକାଶ ବାଧକ ତତ୍ତ୍ୱମାନଙ୍କୁ ଉଚିତ୍ ଜବାବ ଦିଅନ୍ତୁ ବୋଲି କହିଥିଲେ । ୨୦୧୪ ପରବର୍ତ୍ତୀ ୧୦ ବର୍ଷ ବଲାଙ୍ଗିରର ବିକାଶ ଯୋଗୁଁ ଆଗାମୀ ନିର୍ବାଚନରେ ହାରିଯିବା ଭୟରେ ବର୍ତ୍ତମାନ ଏଠାକାର ରାଜ ପରିବାର ନାରୀମାନଙ୍କୁ ଢାଳ କରୁଛି । ସେମାନେ ଜାଣିବା ଦରକାର ଯେ, ତାଙ୍କ ବିରୁଦ୍ଧରେ ତାଙ୍କ ଘରର ବୋହୁ ଯୌତୁକ ଓ ନାରୀ ନିର୍ଯ୍ୟାତନାର ପୌଜଦାରୀ ମାମଲା କରିଛନ୍ତି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସରକାରଙ୍କ ଏ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନର ବିକାଶ ଦିଗରେ ଅନ୍ତରିକତାର ଘୋର ଅଭାବ ଅଛି ବୋଲି କହିଥିଲେ । ବିଧାନସଭାରେ ବାରମ୍ବାର ଦାବୀ ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୮୦ରୁ ଅଧିକ ପ୍ରତିଶତ ଶିକ୍ଷକ କର୍ମଚାରୀ ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଜଳସେଚନ ନାଁରେ ବହୁ ପ୍ରତିକ୍ଷିତ ସୁକତେଲ ଜଳସେଚନ ପ୍ରକଳ୍ପକୁ ଅଧାପନ୍ତରିଆ ଥାଇ ଉଦ୍ଘାଟନ କରିଛନ୍ତି । ଏସବୁ ଜବାବ ଆଗାମୀ ଦିନରେ ଲୋକେ ନିଶ୍ଚୟ ମାଗିବେ ବୋଲି କହିବା ସହ କଂଗ୍ରେସ କର୍ମୀମାନେ ଗାଁକୁ ଗାଁ, ଘରକୁ ଘର ଯାଇ ଏ ବିକାଶ ବିରୋଧୀ ରାଜ ପରିବାର ଓ ଆମ ଅଂଚଳର ବିକାଶ ପ୍ରତି ବୈମାତୃକ ମନୋଭାବ ରଖୁଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରନ୍ତୁ ବୋଲି କହିଥିଲେ । ଏହି କର୍ମୀ ସମ୍ମିଳନୀରେ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱ ପ୍ରତି ଉପସ୍ଥିତ ନେତୃତ୍ୱ ଓ କର୍ମୀମାନେ ଆସ୍ଥା ପ୍ରକଟ କରିଥିଲେ ଓ ଏହାକୁ ହାଇକମାଣ୍ଡ ପାଖକୁ ପଠାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ୧୦୦୦ରୁ ଅଧିକ କଂଗ୍ରେସ ସଦସ୍ୟ ଉପସ୍ଥିତ ଥିବା ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ମହିଳା ସଭାନେତ୍ରୀ ମିଳନୀ ସାହୁ, ଛାତ୍ର ସଭାପତି ଅଙ୍କିତ ସାହୁ, ଜିଲ୍ଲା ଉପସଭାପତି ସନ୍ତକ ବହିଦାର, କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ମୁଖପତ୍ର ଅଜୟ ବାଲି, କାଉନସିଲର ଅରବିନ୍ଦ ପରୁଆ, ଜ୍ୟୋତିବାବୁ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କାଉସିଲର ପ୍ରଦୀପ ମିଶ୍ର, ଯୁବ ସଭାପତି ନାସୀର ଖାନ, ସେବାଦଳ ମୁଖ୍ୟ ଅସୀତ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ।