centurian jitm

ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ : ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସର ଗଣ ଧାରଣା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକାଶ ଧାରାରେ ବଲାଙ୍ଗିରକୁ ଯୋଡିବା ପାଇଁ ଆସନ୍ତା ୨୨ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । କିନ୍ତୁ ଏଯାଏଁ ବଲାଙ୍ଗିରର ସବୁ ପ୍ରମୁଖ ସମସ୍ୟା ଦୀର୍ଘଦିନ ହେଲା ଅସମାହିତ ହୋଇ ପଡି ରହିଛି । ତେବେ, ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାର ସେହି ସବୁ ସମସ୍ୟା ଉପରେ ସବିଶେଷ ଆଲୋଚନା କରିବା ସହ ଚିର ଅବହେଳିତ ବଲାଙ୍ଗିରବାସୀଙ୍କ ବିଭିନ୍ନ ଦାବୀଗୁଡିକୁ ନେଇ ଆସନ୍ତା ୨୨ ତାରିଖରେ କଂଗ୍ରେସ ଦଳ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣ ଧାରଣା ପାଇଁ ପ୍ରସ୍ତୁତି କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲା ପରେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଜିଲ୍ଲାକୁ ବିକାଶ ଧାରାରେ ଯୋଡାଯିବା ନେଇ ସରକାରୀ ସୂଚନା ମିଳିଛି । ଖୋଦ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସି ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଠାରେ ବିଭିନ୍ନ ପ୍ରକଳ୍ପର ପ୍ରାରମ୍ଭ କରିବା ନେଇ ଜଣାପଡିଛି । କିନ୍ତୁ ଅନ୍ୟ ପଟେ ଜିଲ୍ଲାର ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ସମସ୍ୟାମାନଙ୍କ ସମାଧାନ ଦିଗରେ କୌଣସି ସରକାରୀ ପ୍ରଯତ୍ନ ଦେଖିବାକୁ ମିଳିନାହିଁଁ ବୋଲି ଆଲୋଚନା ହେଉଛି । ସଦ୍ୟ ଘଟିତ ମରୁଡି ସମସ୍ୟା ଦିଗରେ ମରୁଡି ଘୋଷଣା, ସାହାଯ୍ୟ, ବୀମା, କୃଷିଋଣ ଓ ସାର ଦୁର୍ନୀତି, ଚାଷୀ ମୃତ୍ୟୁ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁଁ ବୋଲି ଆଲୋଜନା ହେଉଛି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଘୋଷଣାରେ ସିମିତ ରହି ଜମି ଖଣ୍ଡିଏ ପାଇ ସଂଘର୍ଷ କରୁଥିବା ବେଳେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଏବେ ସାତ ସପନ ପାଲଟିଛି ବୋଲି ଚଚ୍ଚା ହେଉଛି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମସ୍ୟା ନେଇ ଜୁଝୁଛନ୍ତି ବୋଲି ପ୍ରକାଶ ପାଇଛି । ଭୀମ ଭୋଇ ମେଡିକାଲ ସୁପ ସ୍ପେସିଆଲିଟି ଡାକ୍ତର ନଥିବା ବେଳେ ଏହା କେବଳ ରେଫରାଲ କେନ୍ଦ୍ର ପାଲଟିଛି ବୋଲି ଆଲୋଜନା ହେଉଛି । ସେହିପରିି ପନି ସୁଗର, ପତ୍ୟେକ ବ୍ଲକରେ କୋଲ୍ଡ ଷ୍ଟୋରେଜ ଓ ବଲାଙ୍ଗିରଠାରେ ଡବ୍ଲୁଡିସି ହେଡ ଅଫିସ ସ୍ଥାପନ କରିବା ପ୍ରଶ୍ନବାଚୀ ହୋଇ ରହିଛି ବୋଲି ଆଲୋଚନା ହେଉଛି । ଆହୁରି ଭୂମିହୀନ ମାନଙ୍କୁ ତୁରନ୍ତ ଜମି ଓ ପଟ୍ଟା ଦେବା ସହ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ପ୍ରବଳ ଦାବୀ ହେଉଛି । ଅତଏବ ବଲାଙ୍ଗିରବାସୀଙ୍କ ଏସବୁ ସମସ୍ୟାର ସମାଧାନ ନହେବା ଯାଏଁ ବଲାଙ୍ଗିରକୁ ବିକାଶ ଧାରାରେ ସାମିଲ କରାଯାଇ ପାରିବ ନାହିଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି । ତେଣୁ ଗଣ ଧାରଣା ମାଧ୍ୟମରେ ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିରବାସୀଙ୍କ ଏସବୁ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.